ମାନବ ଜୀବନର ସର୍ବୋଚ୍ଚ ଧର୍ମ “ମନୁର୍ଭବ”


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ସନାତନ ଧର୍ମର ମୂଳପିଣ୍ଡ ହେଉଛନ୍ତି ପବିତ୍ର ବେଦ। ଯାହାଙ୍କ ମନ୍ତ୍ର ବା ବାଣୀ ଆଜି ବି ମାନବ ସମାଜ ପାଇଁ ମାର୍ଗ ଦର୍ଶକ ହୋଇ ରହିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ। ସାଧରଣତଃ ଲୋକେ ଭାବନ୍ତି ବେଦ କେବଳ ଗୋଟିଏ ଧାର୍ମିକ ଗ୍ରନ୍ଥ, ଯାହା ପୂଜନ କର୍ମରେ ହିଁ ଏହାଙ୍କ ବାଣୀ ବ୍ୟବହାର କରାଯାଏ। ଏହା ଆଂଶିକ ମାତ୍ର, ପୂର୍ଣ୍ଣତଃ ବେଦ ହେଉଛନ୍ତି ବିଶ୍ୱର ଏକ ନିୟାମକ ସାରଣୀ। ଏଥିରେ ଜ୍ଞାନ ଓ ବିଜ୍ଞାନର ଗହନ କଥାଦି ଲୁଚି ରହିବା ସଙ୍ଗେ ସଙ୍ଗେ ମଣିଷକୁ ମଣିଷ ହେବାର ମଧ୍ୟ ଶିକ୍ଷା ଦେଇଛନ୍ତି:
ତନ୍ତୁ ତନ୍ତ୍ରବ୍ରଜସୋ ଭାନୁମନ୍ବିହି ଜ୍ୟୋତିଷ୍କୃତଃ ପଥୋ ରକ୍ଷ ଧୂୟା କୃତାନ୍ ।
ଅନୁଳବଣ” ବୟତ ଜୋଗୁବାମପୋ ମନୁର୍ଭବ ଜନୟା ଦୈବଂ ଜନମ୍‌।।
ଏହି ମନ୍ତ୍ର ମାଧ୍ୟମରେ ବେଦ ଆମକୁ ଜୀବନ ଜୀଇଁବାର ଏକ ସୁନ୍ଦର କଳା ଶିଖାଇଛନ୍ତି। ଏଥିରେ କୁହାଯାଇଛି ଯେ, ହେ ମାନବ! ତୁମେ ଏହି ସଂସାରରେ ଜ୍ଞାନର ଆଲୋକକୁ ଅନୁସରଣ କର । ନିଜର ବୁଦ୍ଧି ଓ ସଦ୍‌ବିବେକ ପ୍ରୟୋଗ କରି ନିଜ କର୍ତ୍ତବ୍ୟ ପଥକୁ ସୁରକ୍ଷିତ ଏବଂ ନିଖୁଣ ରଖ। ସବୁଠାରୁ ବଡ଼ କଥା ହେଲା, ମଣିଷ ଜନ୍ମ ପାଇବା ମାତ୍ରେ କେହିବି ଶ୍ରେଷ୍ଠ ହୋଇନଥାଏ; ତେଣୁ ପ୍ରଥମେ ନିଜେ ଜଣେ ସଚ୍ଚୋଟ ଓ ବିବେକୀ ‘ମନୁଷ୍ୟ’ ହୁଅ ଏବଂ ତା’ପରେ ସମାଜରେ ଦିବ୍ୟ ଗୁଣର ପ୍ରସାର କରି ଅନ୍ୟମାନଙ୍କୁ ମଧ୍ୟ ଦେବତୁଲ୍ୟ ଗୁଣସମ୍ପନ୍ନ କରାଅ। କିନ୍ତୁ ଆଜିର ବସ୍ତୁବାଦୀ ଯୁଗରେ ଅନେକ ବ୍ୟକ୍ତି ବୈଷୟିକ ଜ୍ଞାନ ଆହରଣ କରିବା ସହ ବଡ଼ ବଡ଼ ଡିଗ୍ରୀ ଆଦି ହାସଲ କରିପାରିଛନ୍ତି ଏଵଂ ପ୍ରଚୁର ଧନ-ସମ୍ପଦ ଅର୍ଜନ କରି ବୈଜ୍ଞାନିକ ସଫଳତା ବି ପାଇପାରିଛନ୍ତି, ତଥାପି ଏସବୁ ସତ୍ତ୍ୱେ କାହିଁକି ଆଜି ମଧ୍ୟ ସମାଜରେ ନୈତିକତାର ଅବକ୍ଷୟ, ହିଂସା ଓ ଅଶାନ୍ତି ଆଦି ଦେଖାଦେଉଛି ? ଏହାର କାରଣ ହେଉଛି ଆମେ ‘ଡାକ୍ତର’, ‘ଇଞ୍ଜିନିୟର’ ବା ‘ବ୍ୟବସାୟୀ’ ତ ହୋଇପାରିଛେ, କିନ୍ତୁ ଜଣେ ଭଲ ‘ମଣିଷ’ ହେବାକୁ ଭୁଲିଯାଇଛେ ! ତେଣୁ ବେଦ କହିଛନ୍ତି “ମନୁର୍ଭବ”। ଅର୍ଥାତ୍ ମଣିଷ ହୁଅ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଆମେ କ’ଣ ଜଣେ ଜଣେ ମନୁଷ୍ୟ ରୂପଧାରୀ ଜୀବ ?
କେବଳ ମାନବ ଶରୀର ଧାରଣ କରିବା ଦ୍ୱାରା ଜଣେ ଏ ସଂସାରରେ ପ୍ରକୃତ ମନୁଷ୍ୟ ହୋଇପାରିବ ନାହିଁ। କାହିଁକି ନା ମନୁଷ୍ୟ ହୋଇମଧ୍ୟ ଯଦି ପାଶବିକ ଆଚରଣ କରିବା ତେବେ ଆମକୁ କେବେ ମଧ୍ୟ ସଭ୍ୟ ସମାଜ ମଣିଷରେ ଗଣତି କରିବେ ନାହିଁ। ତେଣୁ ହିତ ବାଣୀରେ କୁହାଯାଇଛି,”ପ୍ରତିଶୋଧ ଜାନ୍ତବ୍ୟ ବିଧାନ”। ଅର୍ଥାତ୍ ପ୍ରତିଶୋଧ, ହିଂସା, କ୍ରୋଧ, ଏବଂ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଏହା ପାଶବିକ ପ୍ରବୃତ୍ତି। ପରନ୍ତୁ ଏହାର ବିପରୀତ ଯଥା: କ୍ଷମା, ଅହିଂସା, ଅକ୍ରୋଧ, ଭଲପାଇବା, ସଦାଚାର ଓ ଜୀବେ ଦୟା ଇତ୍ଯାଦି ମାନବର ଦୈବୀ ଗୁଣ। ଏହି ଦୈବୀ ଗୁଣ ବିଷୟରେ ମଧ୍ୟ ଗୀତାରେ ଦେଖିବାକୁ ମିଳେ:
ଅହିଂସା ସତ୍ୟମକ୍ରୋଧସ୍ତ୍ୟାଗଃ ଶାନ୍ତିରପୈଶୁନମ୍।
ଦୟା ଭୂତେଷ୍ୱଲୋଲୁପ୍‌ତ୍ୱଂ ମାର୍ଦବଂ ହ୍ରୀରଚାପଲମ୍।।
ତେଜଃ କ୍ଷମା ଧୃତିଃ ଶୌଚମଦ୍ରୋହୋନାତିମାନିତା।
ଭବନ୍ତି ସମ୍ପଦଂ ଦୈବୀମଭିଜାତସ୍ୟ ଭାରତ।।
ଏହି ଶ୍ଳୋକାଦିରେ ଶ୍ରୀ ଭଗବାନ କହିଛନ୍ତି, ହେ ଭରତ ଶ୍ରେଷ୍ଠ! ନିର୍ଭୀକତା, ମନର ପବିତ୍ରତା, ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା, ଦାନ, ଇନ୍ଦ୍ରିୟ ବଶୀକରଣ, ଯଜ୍ଞ ସମ୍ପାଦନ, ପବିତ୍ର ପୁସ୍ତକ ପଠନ, ସଂଯମ, ସ୍ପଷ୍ଟବାଦୀ, ଅହିଂସା, ସତ୍ୟବାଦୀ, କ୍ରୋଧରହିତ, ତ୍ୟାଗ, ଶାନ୍ତିପ୍ରିୟ, ପରଦୋଷ ଦର୍ଶନ ନ କରିବା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ଲୋଭହୀନ, ଭଦ୍ର, ଶାଳୀନ, ସ୍ଥିର ମତି, ସାହସୀ, କ୍ଷମାଶୀଳ, ସହନଶୀଳ, ପରିଷ୍କାର ପରିଚ୍ଛନ୍ନ, କାହା ପ୍ରତି ଶତ୍ରୁତା ଆଚରଣ ନ କରିବା ଏବଂ ଅହଂକାର ରହିତ ହେବା । ଏ’ପରି ଦୈବୀ ଗୁଣାଦିର ଅଧିକାରୀ ବ୍ୟକ୍ତିମାନେ ସାଧୁ ସ୍ୱଭାବର ଅଟନ୍ତି।
ଉପରୋକ୍ତ ଗୁଣ ଗୁଡ଼ିକର ପୂର୍ଣ୍ଣ ବିକାଶ ହେଲେ ଯାଇ ଜଣେ ମନୁଷ୍ୟ ପଦବାଚ୍ୟ ହୋଇପାରିବ। କାହିଁକି ନା ଧର୍ମକୁ ଧାରଣ କରିବା ଜୀବର ପରମ ଧର୍ମ। ତେଣୁ ଗୀତାରେ କୁହାଯାଇଛି ଯେ:” ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ “। ଅର୍ଥାତ୍ ମନୁଷ୍ୟ କେବେ ମଧ୍ଯ ନିଜର ଗୁଣ ଧର୍ମକୁ ତ୍ୟାଗ କରିବା ଅନୁଚିତ୍। ଏଣୁ ମନୁସ୍ମୃତିରେ ମନୁଷ୍ୟର ପ୍ରଧାନ ଲକ୍ଷଣ କରାଯାଉଛି ” ମନନଶୀଳତା”, ଅର୍ଥାତ୍ ଚିନ୍ତା କରିବାର କ୍ଷମତା। ମନୁଷ୍ୟ ଶବ୍ଦଟି ମନନ୍’ (ଚିନ୍ତା କରିବା) ଧାତୁରୁ ସୃଷ୍ଟି ହୋଇଛି। ଏହାର ଅର୍ଥ ଯିଏ ଭଲ-ମନ୍ଦ, ଉଚିତ-ଅନୁଚିତ ମଧ୍ୟରେ ଫରକ ବୁଝି ବିବେକ ଅନୁସାରେ କାର୍ଯ୍ୟ କରେ ଏଵଂ ପ୍ରାଣୀଙ୍କ ସୁଖ-ଦୁଃଖକୁ ଅନୁଭବ କରିପାରେ ସେ ହିଁ ଶ୍ରେଷ୍ଠ ବା ପ୍ରକୃତ ମନୁଷ୍ୟ। ଯାହା ସାଧୁ-ସନ୍ଥଙ୍କ ହୃଦୟରେ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଥାଏ। ଏହି ବ୍ୟକ୍ତିତ୍ୱମାନେ ଅହରହ ସଂସାରର ସୁଖରେ ସୁଖୀ ଏବଂ ସଂସାରର ଦୁଃଖରେ ଦୁଃଖି ହୋଇଥାନ୍ତି ଏବଂ ଜଗତର କଲ୍ୟାଣ ନିମନ୍ତେ ନିଜେ ନର୍କ ଯାତନାକୁ ଗ୍ରହଣ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ। ତେଣୁ କୁହାଯାଇଛି:
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।।
ଆମ ବେଦ ବିଦ୍ୟାର ଚିନ୍ତନ ବ୍ୟାପକ ଏବଂ ସର୍ବଜନ ହିତାୟ ଅଟେ। ଏହାଙ୍କ ବାଣୀ ତିନିକାଳରେ ଉପଯୋଗୀ। କେବେବି ଏହାଙ୍କ ବାର୍ତ୍ତା ପୁରାତନ ନୁହେଁ, ଯାହା ସଦା ସର୍ବଦା ନବ୍ୟ-ନବୀନ। ଯେପରି ସକଳ ଶକ୍ତିର ଆଧାର ସୂର୍ଯ୍ୟ ଓ କଲ୍ୟାଣ କାରକ ଚନ୍ଦ୍ରଙ୍କ ଆଭା ସବୁବେଳେ ଏକଭଳି ରହିଛି ଏବଂ ସଂସାରର ସମସ୍ତ ପ୍ରାଣୀଙ୍କୁ ଏକାପରି ପ୍ରକାଶିତ କରନ୍ତି। ସେଭଳି ବେଦଙ୍କ ମନ୍ତ୍ର ମଧ୍ୟ ସମସ୍ତଙ୍କୁ ଉଚିତ ଶିକ୍ଷା ଦେଇଥାଏ, ଯଥା:
ଓଁ ସଙ୍ଗଚ୍ଛଧ୍ବଂ ସଂବଦଧ୍ବଂ ସଂ ବୋ ମନାଂସି ଜାନତାମ୍ ।
ଦେବା ଭାଗଂ ଯଥା ପୂର୍ବେ ସଞ୍ଜାନାନା ଉପାସତେ ॥
ଅର୍ଥାତ୍- ଆମେ ସମସ୍ତେ ମିଳିମିଶି ଏକାଠି ଆଗକୁ ବଢ଼ିବା ଏବଂ କର୍ତ୍ତବ୍ୟ ପଥରେ ଚାଲିବା। ତା’ ସହିତ ଆମେ ପରସ୍ପର ସହ ଶାନ୍ତ ଓ ସ୍ନେହପୂର୍ଣ୍ଣ ଭାବରେ କଥା ହେବା, କୌଣସି ଭେଦଭାବ ନ ରଖି ଏକ ସ୍ୱରରେ ସମ୍ବାଦ କରିବା। ଆମର ମନ ଓ ଚିନ୍ତାଧାରା ଏକ ହେଉ, ଯେପରି ଜଣେ ଅନ୍ୟର ଦୁଃଖ-ସୁଖ ଏବଂ ଭାବନାକୁ ସହଜରେ ବୁଝିପାରିବ। ପୁରାକାଳରେ ଦେବତାମାନେ ଯେଭଳି ଏକମତ ହୋଇ ନିଜ ନିଜର ଭାଗ ବାଣ୍ଟି ନେଉଥିଲେ ଏବଂ ଶୃଙ୍ଖଳା ରକ୍ଷା କରୁଥିଲେ, ଆମେ ମଧ୍ୟ ସେହିପରି ଏକତା ଏବଂ ସମନ୍ୱୟ ସଦ୍ଭାବନା ରକ୍ଷା କରି ଚାଲିବା। ଏହା ଦ୍ବାରା ଆମ ହୃଦୟରେ ‘ଦୈବୀ ଗୁଣ’ ବା ଦେବତୁଲ୍ୟ ସଂସ୍କାର ଜାଗ୍ରତ ହେବ। ଯାହାଫଳରେ ଭଗବାନ ମଧ୍ୟ ସନ୍ତୋଷ ଲାଭ କରିବେ। ଯାହାର ଦୃଷ୍ଟାନ୍ତ ଓଡ଼ିଆ ଭାଗବତରେ ମଧ୍ଯ ଦେଖିବାକୁ ମିଳେ:
ସତ୍ୟ ଶାନ୍ତି ଯେ ଦୟା କ୍ଷମା
ଏସବୁ ଧର୍ମର ମହିମା।।
ମଣିଷ ମଧ୍ୟେ ଦିବ୍ୟ ଜ୍ଞାନ
ଦେଖି ସନ୍ତୋଷ ଭଗବାନ।।
ବୈଦିକ ବାଂମୟଙ୍କ ‘ମନୁର୍ଭବ’ କେବଳ ଏକ ସୂକ୍ତ ବା ନୀତିବାଣୀ ନୁହେଁ, ଏହା ହେଉଛି ମାନବ ଜୀବନର ସର୍ବୋଚ୍ଚ ଧର୍ମ। ଏହା ଆମକୁ ପଶୁତ୍ୱରୁ ମନୁଷ୍ୟତ୍ୱ ଏବଂ ମନୁଷ୍ୟତ୍ୱରୁ ଦିବ୍ୟତା ଆଡ଼କୁ ଅଗ୍ରସର ହେବା ପାଇଁ ପ୍ରେରଣା ଦିଏ। ଯେଉଁଦିନ ପ୍ରତ୍ୟେକ ବ୍ୟକ୍ତିମାନେ ନିଜ ଭିତରେ ଥିବା କ୍ରୋଧ, ଈର୍ଷା ଓ ସ୍ଵାର୍ଥକୁ ତ୍ୟାଗ କରି ବିବେକ ସହକାରେ କାର୍ଯ୍ୟ କରିବେ, ସେହିଦିନ ଏହି ପୃଥିବୀରେ ସତ୍ୟ ଓ ଶାନ୍ତିର ରାଜତ୍ୱ ପ୍ରତିଷ୍ଠିତ ହୋଇପାରିବ। ତେଣୁ ଆସନ୍ତୁ, ବୈଦିକ ଋଷିମାନଙ୍କର ଏହି ମହାନ ବାର୍ତ୍ତାକୁ ଆମ ଜୀବନରେ ସ୍ଥାନ ଦେବା ଏବଂ ପ୍ରକୃତ ‘ମନୁଷ୍ୟ’ ହୋଇ ଏକ ସୁନ୍ଦର, ଦିବ୍ୟ ସମାଜ ଗଠନରେ ନିଜକୁ ନିୟୋଜିତ କରିବା। ତେବେ ଯାଇ ସାର୍ଥକ ବେଦ ବାଣୀ ମନୁର୍ଭବ ମହତ୍ତ୍ୱ ଆମ ନିମନ୍ତେ ସାର୍ଥକ ହୋଇପାରିବ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା , ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ