ରାୟଗଡା ଡୁଡା କାର୍ଯ୍ୟଳୟରେ ୧.୦୯ କୋଟି ଆତ୍ମସାତ୍ କରି ଫେରାର ମାମଲା: ଇଓଡବ୍ଲ୍ୟୁକୁ ତଦନ୍ତ ଦାୟିତ୍ୱ
ଗୁଣପୁର, (ୱାଇଏନଏସ) : ରାୟଗଡ଼ା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) କାର୍ଯ୍ୟାଳୟରେ ସରକାରୀ ପାଣ୍ଠିରୁ ୧ କୋଟି ୯ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣାର ୪ ମାସ ପରେ ଇଓଡବ୍ଲ୍ୟୁ ତଦନ୍ତ କରିବ ବୋଲି ଜଣାପଡିଛି। ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ପୁଲିସ୍କୁ କୌଣସି ସଫଳତା ପାଇନଥିବା ବେଳେ ଜିଲ୍ଲା ପ୍ରଶାସନ ଅଧିକାରୀ ମଧ୍ୟ ବିଶେଷ ଆନ୍ତରିକତା ଦେଖାଇ ନାହାନ୍ତି। ତେଣୁ ମାମଲା ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଖୁବ୍ଶୀଘ୍ର ମାମଲା ହସ୍ତାନ୍ତର ପରେ ଇଓଡବ୍ଲ୍ୟୁ ପକ୍ଷରୁ ଏକ ତଦନ୍ତକାରୀ ଟିମ୍ ରାୟଗଡ଼ା ଆସି ଘଟଣାର ଅନୁସନ୍ଧାନ କରି ଡୁଡା ଅଫିସ ଛାନଭିନ କରିବେ ବୋଲି ଜଣାପଡିଛି। ଏତେ ପରିମାଣର ସରକାରୀ ପାଣ୍ଠି ହଡ଼ପ୍ କରିଥିବା ମୁଖ୍ୟ ଅଭିଯୁକ୍ତ ଵିନୟ ହରିଜନ ଏପର୍ଯ୍ୟନ୍ତ ଗିରଫ ହୋଇନାହିଁ। ଆଉ ଗିରଫ କରିବାରେ ରାୟଗଡ଼ା ଥାନା ପୁଲିସ୍ ମଧ୍ଯ ଫେଲ୍ ମାରିଛି। ତେଣୁ ଏସ୍ପି ରାଜ ପ୍ରସାଦ ମାମଲାର ତଦନ୍ତ ପାଇଁ ଇଓ ଡବ୍ଲ୍ୟୁକୁ ସୁପାରିଶ୍ କରିଥିବା ଜଣାପଡିଛି । ଉକ୍ତ ସୁପାରିଶ୍ ଅନୁଯାୟୀ ଏହାର ତଦନ୍ତ ଇଓଡବ୍ଲ୍ୟୁ କରିବ । ଜଣେ ସାଧାରଣ ଠିକା କର୍ମଚାରୀଙ୍କୁ କିପରି ଏତେ ବଡ଼ ଧରଣର ଅର୍ଥ ହେରଫେର୍ କଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଏଥିରେ ବଡ଼ ବଡିଆଙ୍କ ସହଯୋଗ ଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ ବୋଲି ଆଲୋଚନା ହେଉଛି। ଇଓଡବ୍ଲ୍ୟୁ ତଦନ୍ତ ପରେ ଏହା ପଛର ଥିବା ରହସ୍ୟ ଜଣାପଡ଼ିବ। ଏହି ଘଟଣାକୁ ନେଇ ରାୟଗଡ଼ା ବିଧାୟକ ଆପଲସ୍ୱମୀ କାଡ୍ରାକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସାଂଘାତିକ ଅଭିଯୋଗ ଆଣିଥିଲେ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ଓ ଛତ୍ରଛାୟା ବିନା ଜଣେ ସାଧାରଣ ଆଉଟସେସିଂ କର୍ମଗରୀଙ୍କୁ ଏତେ ବଡ଼ ଆର୍ଥିକ ଦାୟିତ୍ଵ ମିଳିବା କଦାପି ସମ୍ଭବ ନୁହେଁ ବୋଲି କହିଥିଲେ। ଏହି ବିପୁଳ ଅର୍ଥ ହେରଫେର୍ ପଛରେ ନିଶ୍ଚିତ ଭାବେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । କେବଳ ପୁଲିସ୍ ତଦନ୍ତ ନୁହେଁ ଅର୍ଥନୈତିକ ଅପରାଧ ଶାଖା ଏବଂ ଭଜିଲାନ୍ସ ବିଭାଗ ତଦନ୍ତ କରୁ ବୋଲି ବିଧାୟକ ଶ୍ରୀ କାଦ୍ରକା ପୂର୍ବରୁ ଦାବି କରିଥିଲେ। ତେବେ ଜଣେ ଆଉଟ୍ ସୋସିଂ କର୍ମଚାରୀଙ୍କୁ ଏତେବଡ଼ ଦାୟିତ୍ଵ ଦେଲା କିଏ ବୋଲି ପ୍ରଶ୍ନ ଉଠିଥିଲା। ଡୁଡା କାର୍ଯ୍ୟଳୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶାଖା ଦାୟିତ୍ୱରେ ରହିଛନ୍ତି ଆଉଟସୋରସିଂ କର୍ମଚାରୀ। କୋଟି କୋଟି ଟଙ୍କାର କାରବାର ପରିଚାଳନା ଜଣେ ଆଉଟସୋର୍ସି କର୍ମଚାରୀଙ୍କ ଦ୍ଵାରା କରାଯିବା ପଛରେ ଥିବା ରହସ୍ୟ ଉନ୍ମୋଚନ ହେବା ଆବଶ୍ୟକ। ଡୁଡା ପରିଗଳନା ଏମ୍ଆଇଏସ୍ ତଥା ହିସାବ ରକ୍ଷକ ଭାବେ କାର୍ଯ୍ୟରତ ଥିବା ଆଉଟ ସୋସିଂ କର୍ମଚାରୀ ବିନୟ ହରିଜନ କେମିତି ଠକାମି କରି ୧ କୋଟି ୯ ଲକ୍ଷ ଟଙ୍କା ଅର୍ଥ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଥିଲା। ଏହି ଅଧିକାରୀ ଜଣକ ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲ୍ଇଡି ଟିଭି ପରିଚାଳନା ଦାୟିତ୍ଵ ମଧ୍ୟ ବୁଝୁଥିଲେ। ତେବେ ଟଙ୍କା ଟ୍ରାନ୍ସଫର୍ କରିବାରେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଜଣକ ଫେରାର୍ ଅଛନ୍ତି । ତେବେ ଗତ ଜୁଲାଇ ୧୦ ତାରିଖରେ ଏହି ଘଟଣା ପଦାକୁ ଆସିଥିଲା। ପ୍ରଥମେ ମାତ୍ର ୧୦ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା କୁହାଯାଉଥିବାବେଳେ ପରେ ଏହା ୧ କୋଟି ୯ ଲକ୍ଷ ବୋଲି ସ୍ପଷ୍ଟ ହୋଇଥିଲା। ଘଟଣାର ୮ ଦିନ ପରେ ଅର୍ଥାତ୍ ୧୮ ତାରିଖରେ ବିଳମ୍ବରେ ଡୁଡା କାର୍ଯ୍ୟାଳୟ ପକ୍ଷରୁ ରାୟଗଡ଼ା ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜ୍ଜୁ କରିଛି । କିନ୍ତୁ ତଦନ୍ତ ପ୍ରକ୍ରିୟା ଆଗକୁ ନବଢ଼ି ରାୟଗଡ଼ା ଥାନାରେ ଅଟକି ରହିବା ପରେ ଏବେ ଇଓ ଡବ୍ଲ୍ୟୁ ଏହାର ତଦନ୍ତ କରିବ । ପୁଲିସ୍ ଡୁଡା ଅଫିସ୍ରୁ ମମଲା ସମ୍ପର୍କିତ ଅନେକ ନଥିପତ୍ର ଜବତ କରିଛି। ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ସେହିଭଳି ପଦକ୍ଷେପ ଗ୍ରହଣ ହୋଇନାହିଁ । ଏଣେ ଭିଜିଲାନ୍ସ ତଦନ୍ତ କରିବା ନେଇ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ମଧ୍ୟ ଯବନିକା ପଡ଼ିଛି । ଏସମ୍ପର୍କରେ ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ଏହି ମାମଲାର ସମୀକ୍ଷା କରାଯିବ। ଏତେ ପରିମାଣର ସରକାରୀ ଟଙ୍କା ହେରଫେର୍ ହୋଇଥିବାରୁ ଅର୍ଥନୈତିକ ଅପରାଧ ଶାଖାକୁ ସୁପାରିଶ୍ କରାଯାଇଛି ବୋଲି ଏସ୍ପି ଶ୍ରୀ ରାଜ ପ୍ରସାଦ ଗଣ ମାଧ୍ୟମକୁ କହିଛନ୍ତି ।


