ବେଆଇନ ପଲିଥିନ ବିକ୍ରି କରୁଥିବା ଦୋକନୀଙ୍କ ଉପରେ ଚଢ଼ାଉ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି କାର୍ଯ୍ୟାଳୟ ପକ୍ଷରୁ ଦୋକାନ ବଜାରରେ ବେଆଇନ ପଲିଥିନ ବିକ୍ରି କରୁଥିବା ଦୋକନୀଙ୍କ ଉପରେ ଚଢ଼ାଉ ୩ ବସ୍ତା ପଲିଥିନ ଜବତ ସହ ଜରିମାନା ଆଦାୟ କରାଯାଇଛି। ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବା ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଧାମନଗର ଏନ୍ଏସି ପକ୍ଷରୁ ଏହି ଯାଞ୍ଚ ଓ ଚଢ଼ାଉ କରାଯାଇଥିଲା।ଗୁରୁବାର ସନ୍ଧ୍ୟାରେ ଏନ୍ ଏ ସି ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ସହାୟତାରେ ସହରାଞ୍ଚଳରେ ଥିବା ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଏହି ସମୟରେ ୩ ବସ୍ତା ବେଆଇନ ପଲିଥିନ ଜବତ କରିଛନ୍ତି। ଚଢ଼ାଉରେ ବେଳେ କନିଷ୍ଠ ଓ ସହକାରୀ ଯନ୍ତ୍ରୀ ନୀଳକଣ୍ଠ ନାୟକ,ସସ୍ମିତା ନାୟକ,ଶରତ ଦାସ,ମନୋଜ ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା ସହ ମଣିଷର ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡ଼ିବା,ନାଳନର୍ଦ୍ଦମା ଅବରୋଧ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହାର ବ୍ୟବହାର ରୋକିବା ପାଇଁ ନିୟମିତ ଯାଞ୍ଚ ସହ ଦୋକାନୀ ଓ ଗ୍ରାହକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅଧିକାରୀ ମତପ୍ରକାଶ କରିଛନ୍ତି।


