ମା କାଳୀଙ୍କର ନୂତନ ମଣ୍ଡପ ଉଦ୍‌ଘାଟିତ

ଝାରପୋଖରିଆ,(ଭଗୀରଥ ମହାନ୍ତ) : ସାରସକଣା ବ୍ଳକ୍ ଅନ୍ତର୍ଗତ ଝାରପୋଖରିଆ – ବମ୍ବେଛକ ବଜାରରେ ନୂତନ ଭାବେ ନିର୍ମିତ ହୋଇଥିବା କାଳୀପୂଜା ମଣ୍ଡପର ଶୁଭ ଉଦ୍‌ଘାଟନ ଧାର୍ମିକ ଓ ଉତ୍ସବମୁଖର ପରିବେଶ ମଧ୍ଯରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଦବ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାଳୀ ପୂଜା ମଣ୍ଡପର ଶୁଭ ଉଦ୍‌ଘାଟନ କରିଥିଲେ । ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବମ୍ବେଛକ ବଜାରରେ ଦୀର୍ଘଦିନ ଧରି ମା’ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ଏକ ପୂଜା ମଣ୍ଡପ ରହିଥିଲା ଓ ଏହା ୧୯୫୩ ମସିହାରେ ସ୍ଥାପିତ ହୋଇଥିଲା। ତେବେ ସମୟର ଆବଶ୍ୟକତା ଓ ଅଞ୍ଚଳବାସୀଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଏହାକୁ ନୂତନ ରୂପରେ ନିର୍ମାଣ କରାଯାଇଛି । ନୂତନ ମଣ୍ଡପର ନିର୍ମାଣ ଫଳରେ ଆଗାମୀ ଦିନରେ ମା’ କାଳୀଙ୍କ ପୂଜା ଓ ବିଭିନ୍ନ ଧାର୍ମିକ ଆୟୋଜନ ଅଧିକ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇ ପାରିବ ବୋଲି ସ୍ଥାନୀୟ ଲୋକେ ଆଶା ବ୍ୟକ୍ତ କରିଛନ୍ତି । ବିଶେଷକରି ବମ୍ବେଛକ ବଜାର ଅଞ୍ଚଳରେ କାଳୀପୂଜା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ , ବରଂ ଏହା ସାମାଜିକ ମିଳନ ଓ ଭାଇଚାରାର ଏକ ମାଧ୍ୟମ ଭାବେ ପରିଚିତ । ପ୍ରତିବର୍ଷ ମା’ଙ୍କ ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳେ । ଏଭଳି ସ୍ଥିତିରେ ନୂତନ ମଣ୍ଡପର ନିର୍ମାଣ ଅଞ୍ଚଳର ଧାର୍ମିକ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ପୂଜା ପାର୍ବଣ ଆୟୋଜନରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ମତ ପ୍ରକାଶ ପାଇଛି । ଉଦ୍‌ଘାଟନୀ ସମାରୋହରେ ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ସହ ବିଜେପିର ଝାରପୋଖରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ନାଥ ବିନ୍ଧାଣୀ , ସାର୍ବଜନୀନ କାଳୀ ପୂଜା କମିଟିର ସଭାପତି ପତିତପାବନ ଖଟୁଆ ଓ ସମ୍ପାଦକ ଦୈତାରୀ ପ୍ରଧାନଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଏବଂ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନୂତନ ପୂଜା ମଣ୍ଡପର ଉଦ୍‌ଘାଟନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା। ନୂତନ ମଣ୍ଡପ ଆଗାମୀ ଦିନରେ ମା’ କାଳୀଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର ହେବା ସହ ଅଞ୍ଚଳରେ ଧାର୍ମିକ ଭାବଧାରା , ସାମାଜିକ ସଦ୍‌ଭାବ ଓ ଭାଇଚାରାର ବନ୍ଧନକୁ ଅଧିକ ସୁଦୃଢ଼ କରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ