ଡେରାବିଶ ବ୍ଲକରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ହଡପ ଘଟଣା : କେମିତି ଜାଣିପାରିଲାନି ଲୋକାଲ ଫଣ୍ଡ ଅର୍ଡିଟ ପାର୍ଟି
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପ୍ରଶାସନରେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା ଏବେ ସମଗ୍ର ଜିଲ୍ଲା ତଥା ରାଜ୍ୟ ରାଜନୀତି ଓ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ଉନ୍ନୟନ ପାଇଁ ଉଦ୍ଦିଷ୍ଟ କୋଟି କୋଟି ଟଙ୍କାର ଏହି ମହାଦୁର୍ନୀତି ଏବେ ପଦାରେ ପଡ଼ିବା ପରେ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ଗତ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଆର୍ôଥକ କାରବାରର ବିସ୍ତୃତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ୁଥିବା ବେଳେ ବ୍ଲକ ପ୍ରଶାସନର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବହୁଚର୍ଚ୍ଚିତ ହେରଫେର ଘଟଣାରେ ସିଧାସଳଖ ସଂପୃକ୍ତ ଥିବା କିରାଣୀ ଶଶିକାନ୍ତ ରଣା ଏକାସାଙ୍ଗରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ସେ ବ୍ଲକର ଏଷ୍ଟାବ୍ଲିସମେଣ୍ଟ, ସେକସନ ଅଫିସର ଏବଂ କ୍ୟାସିୟର ଭଳି ସମ୍ବେଦନଶୀଳ ପଦବୀରେ ରହି ଏହାକୁ ଏକାକୀ ନିୟନ୍ତ୍ରଣ କରୁଥିଲେ। ସରକାରୀ ନିୟମ ଅନୁଯାୟୀ ଆର୍ôଥକ କାରବାର ତଦାରଖ ଏବଂ ହିସାବ ନିକାଶ ଭିନ୍ନ ଭିନ୍ନ ଅଧିକାରୀଙ୍କ ଦ୍ୱାରା ହେବା କଥା, କିନ୍ତୁ ଗୋଟିଏ ହାତରେ ସମସ୍ତ ଚାବିକାଠି ରହିବା ଯୋଗୁଁ ଏଭଳି ବ୍ୟାପକ ହେରଫେର ସମ୍ଭବ ହୋଇପାରିଲା ବୋଲି ଚର୍ଚ୍ଚା ହେଉଛି। ଘଟଣାଟି ଲୋକଲୋଚନକୁ ଆସିବା ପରଠାରୁ ଉକ୍ତ କିରାଣୀ ଗତ ଅକ୍ଟୋବର ୧୫ ତାରିଖରୁ ଛୁଟିରେ ଚାଲିଯାଇଛନ୍ତି ଏବଂ ସେ କେବେ ଛୁଟିରୁ ଫେରିବେ ତାହା କେହି କହିପାରୁନାହାନ୍ତି। ତାଙ୍କର ଏଭଳି ରହସ୍ୟଜନକ ଅନୁପସ୍ଥିତି ସନ୍ଦେହକୁ ଆହୁରି ଘନୀଭୂତ କରିଛି। ସବୁଠାରୁ ଆଶ୍ଚର୍ଯ୍ୟ ଓ ଉଦ୍ବେଗଜନକ ବିଷୟ ହେଉଛି ଯେ ନିକଟରେ ଡେରାବିଶ ବ୍ଲକରେ ସରକାରୀ ‘ଲୋକାଲ ଫଣ୍ଡ ଅଡିଟ’ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପ୍ରତ୍ୟେକଟି ଟଙ୍କାର ଆୟ-ବ୍ୟୟ ଯାଞ୍ଚ କରିବା ପାଇଁ ଉଦ୍ଦିଷ୍ଟ ଏହି ବଳିଷ୍ଠ ଅଡିଟ ଟିମ୍ କିପରି ଏତେ ବଡ଼ ହେରଫେରକୁ ଧରିପାରିଲେ ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଅଡିଟ୍ ପ୍ରକ୍ରିୟା ଚାଲିଥିବା ବେଳେ କୋଟିଏରୁ ଅଧିକ ଟଙ୍କାର ବେହିସାବୀ କାରବାର ଅଡିଟରଙ୍କ ନଜରରୁ କିପରି ଖସିଗଲା? ଏହା କେବଳ ଦାୟିତ୍ୱହୀନତା ନା ଅଡିଟ୍ ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକାର ଫଳାଫଳ, ତାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତଦନ୍ତ ଦାବି କରିଛନ୍ତି। ଏହି ଦୁର୍ନୀତି କେବଳ ଜଣେ ସାଧାରଣ କିରାଣୀଙ୍କ ଦ୍ୱାରା ଏକାକୀ ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବ୍ଲକର ତତ୍କାଳୀନ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅଜାଣତରେ ଏତେ ବଡ଼ ଅର୍ଥ ହରିଲୁଟ୍ ହେବା ଅସମ୍ଭବ। ତେଣୁ ଭିଜିଲାନ୍ସ କେବଳ କିରାଣୀଙ୍କ ଉପରେ ସୀମିତ ନରହି, ୨୦୨୦ ପରଠାରୁ ଦାୟିତ୍ୱରେ ଥିବା ବିଡ଼ିଓ, ଏବିଡ଼ିଓ ଏବଂ ଅଡିଟ୍ ଟିମ୍ର ସଦସ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଉଠିଛି। ଡେରାବିଶ ଭଳି ଏକ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣଙ୍କ ଝାଳବୁହା ଧନକୁ ଯେଉଁଭଳି ଭାବେ ଲୁଟ୍ କରାଯାଇଛି, ତାହାର ନିରପେକ୍ଷ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ନଚେତ୍ ସରକାରୀ ବ୍ୟବସ୍ଥା ଓ ଅଡିଟ୍ ପ୍ରକ୍ରିୟା ଉପରୁ ସାଧାରଣ ଜନତାଙ୍କ ଭରସା ସମ୍ପୂର୍ଣ୍ଣ ତୁଟିଯିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


