କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାର ଶେଷପର୍ବ : ଗୋବରୀ ନଦୀରେ ବିସର୍ଜିତ ହେଲେ ଥାନପତି ମା’ଲକ୍ଷ୍ମୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଅନ୍ୟ ଏକ ମହାପର୍ବ ଗଜଲକ୍ଷ୍ମୀ ପୂଜାର ଆଜି ଥିଲା ଶେଷ ପର୍ବ। ସାତଦିନ ମଣ୍ଡପରେ ପୂଜା ପାଇବା ପରେ ଶନିବାର ମେଲଣ ପର୍ବ ଶେଷ ହେବା ପରେ ରବିବାର ଥାନପତି ବ୍ୟତିତ ଅନ୍ୟ ସମସ୍ତ ମେଢର ଦେବାଦେବୀ ଗୋବରୀ ନଦୀ ଏବଂ ବିଭିନ୍ନ ଜଳାଶୟରେ ବିସର୍ଜିତ ହୋଇଥିଲେ। ସୋମବାର ପୁରୁଣା ବସଷ୍ଟାଣ୍ଡର ଶତବାର୍ଷିକ ଥାନପତି ସନ୍ଧ୍ୟା ୫ଟାରେ ମଣ୍ଡପ ଛାଡି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବିସର୍ଜ୍ଜନ ଘାଟ ଅଭିମୁଖେ ଯାତ୍ରା କରିଥିଲେ। ପୂଜା କମିଟି ସଦସ୍ୟ ଏବଂ ସହରର ଅଧିବାସୀମାନେ ଆନନ୍ଦ ଉଲ୍ଲାସରେ ବାଦ୍ୟର ତାଳେ ତାଳେ ମା’ଙ୍କୁ ଶୋଭାଯାତ୍ରାରେ ଆଣିଥିଲେ। ବିସର୍ଜ୍ଜନ ଘାଟ ନିକଟ ନୂଆବସଷ୍ଟାଣ୍ଡର ଥାନପତି ମା’ଲକ୍ଷ୍ମୀ ପୁରୁଣା ବସଷ୍ଟାଣ୍ଡ ଥାନପତି ମା’ଲକ୍ଷ୍ମୀଙ୍କୁ ସ୍ୱାଗତ କରିଥିଲେ। ଉଭୟ ଲକ୍ଷ୍ମୀଙ୍କ ମଧ୍ୟରେ ମହାମିଳନର ପର୍ବ ଅନୁଷ୍ଠିତ ହୋଇଥିଲା। ନୂଆ ବସଷ୍ଟାଣ୍ଡ ଥାନପତି ପୂଜା କମିଟିର ସଦସ୍ୟମାନେ ଭୋଗଲାଗି କରିଥିଲେ। ଏହି ଭୋଗଲାଗି ପର୍ବ ସମାପ୍ତ ପରେ ପୁରୁଣା ବସଷ୍ଟାଣ୍ଡ ଥାନପତି ଗୋବରୀ ନଦୀ ବିସର୍ଜ୍ଜନ ଘାଟକୁ ଯାଇଥିଲେ। ସମସ୍ତ ମେଢକୁ ମେଲାଣି ଦେବା ପରେ ନୂଆ ବସଷ୍ଟାଣ୍ଡ ଥାନପତି ବିସର୍ଜ୍ଜନ ଘାଟକୁ ଯାଇଥିଲେ। ଗୋବରୀ ନଦୀର ବିସର୍ଜ୍ଜନ ଘାଟ ପାଣିରେ ଦୁଇ ଥାନପତିର ମା’ଲକ୍ଷ୍ମୀଙ୍କୁ ବିସର୍ଜ୍ଜିତ ରୋଯାଇଥିଲା। ଏହି ଦୃଶ୍ୟ ଅତ୍ୟନ୍ତ ଭାବବିହ୍ୱଳ ପୂର୍ଣ୍ଣ ଥିଲା। ଆଉ ଏକ ବର୍ଷ ପରେ ଏହି ଦିନରେ ସହରବାସୀ ମା’ଙ୍କୁ ଆବାହନ କରିବା ପାଇଁ ଅପେକ୍ଷାରେ ରହିଲେ। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଶାନ୍ତିଶୃଙ୍ଖଳାର ସହିତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥିବାରୁ ବୁଦ୍ଧିଜୀବିମାନେ ପୂଜା କମିଟି ଏବଂ ପୋଲିସ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ