ସରକାରୀ ସ୍ତରରେ ଡିବିଟି ବିକ୍ରି ପୋର୍ଟାଲ ବନ୍ଦ, ବିହନ କିଣି ପାରୁନାହାନ୍ତି ଚାଷୀ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକରେ ବାରମ୍ବାର ବନ୍ୟା ହେବା ଫଳରେ ଉଜୁଡ଼ିଛି ଚାଷ,ମାତ୍ର ପୁନଃଶ୍ଚ ବିହନ ବୁଣି ଧାନ ଓ ରବି ଚାଷ ପାଇଁ ଆଶା ରଖିଥିଲେ ଚାଷୀ,କିନ୍ତୁ ସରକାରଙ୍କ ଘୋଷିତ ସ୍ୱତନ୍ତ୍ର ବନ୍ୟା ପ୍ୟାକେଜର ସୁଫଳ ପାଇବାରେ ବିଳମ୍ବ ଯୋଗୁଁ ଅସନ୍ତୋଷ ସହ ଚିନ୍ତାରେ ଚାଷୀ। ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା ଚାଷୀଙ୍କୁ ନୂଆ ଆଶା ଦେଇଥିବା ବେଳେ ତୃଣମୂଳ ସ୍ତରରେ ବିହନ କିଣା ପ୍ରକ୍ରିୟା ଆଗେଇ ନପାରିବା ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି। ଚଳିତ ବର୍ଷ ଧାମନଗର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାରମ୍ବାର ବନ୍ୟା ଯୋଗୁଁ ଖରିଫ ଧାନଚାଷ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ବିଭିନ୍ନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଚାଷୀଙ୍କୁ ପୁନର୍ବାର ଚାଷ କାର୍ଯ୍ୟରେ ସକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ବନ୍ୟା ପ୍ୟାକେଜ୍ ଅଧୀନରେ ୧୦ କୋଟି ଟଙ୍କାର ସହାୟତା ଘୋଷଣା ହୋଇଥିଲା। ଏହି ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ(ରବି)ବିହନ କିଣିବା ପାଇଁ ଡିବିଟି ମାଧ୍ୟମରେ ସିଧାସଳଖ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଥିବାର ଆଶ୍ୱାସନା ଦିଆଯାଇଥିଲା। କିନ୍ତୁ ଚାଷୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମେ ନିଜ ଖର୍ଚ୍ଚରେ ବିହନ କିଣିବାକୁ ପଡ଼ିବ ଏବଂ ପରେ ଟଙ୍କା ବ୍ୟାଙ୍କ ଖାତାକୁ ଫେରସ୍ତ ହେବ ଏଥିପାଇଁ ବିରି ବିହନ କ୍ୱିଣ୍ଟାଲ ପ୍ରତି ୧୨,୬୨୫ ଟଙ୍କା ଓ ଧାନ ବିହନ କ୍ୱିଣ୍ଟାଲ ପ୍ରତି ୪,୧୮୦ ଟଙ୍କା ଦେଇ କିଣିବାକୁ ହେବ। ହେଲେ ସରକାରୀ ସ୍ୱୀକୃତିପ୍ରାପ୍ତ ବିକ୍ରେତାଙ୍କ ନିକଟରେ ଉଭୟ କିସମର ବିହ‌ନ ପ୍ରଚୁର ପରିମାଣରେ ଉପଲବ୍ଧ ଥିବା ସତ୍ତ୍ୱେ ସରକାରୀ ସ୍ତରରେ ଡିବିଟି ବିକ୍ରି ପୋର୍ଟାଲ୍ ବନ୍ଦ ରହିଥିବାରୁ ଚାଷୀ ତାହା କିଣି ପାରୁନଥିବା ଅଭିଯୋଗ କରିଛନ୍ତି।ଚାଷୀ ବିହନ କିଣିବାକୁ ପ୍ରସ୍ତୁତ,ବିହନ ମଧ୍ଯ ମହଜୁଦ ରହିଛି I ତେବେ ପୋର୍ଟାଲ୍ ବନ୍ଦ ଯୋଗୁଁ କିଣାବିକା ଅଟକିବା ଯୋଗୁ ଚାଷୀଙ୍କ ଚିନ୍ତା ବଢ଼ାଇବା ସହ ଅଧୂକୃତ ବିକ୍ରେତା ମାନେ ଲକ୍ଷ ଲକ୍ଷ ଟଙ୍କା ଖଟାଇ ନିରବ ବସିଛନ୍ତି। ଚାଷର ଉପଯୁକ୍ତ ସମୟ ଗଡ଼ିଯିବା ସହ ବିହନ ନଷ୍ଟ ହେବା ଆଶଙ୍କା ରହିଥିବାରୁ ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି। ଏଭଳି ସ୍ଥିତିରେ ସରକାରଙ୍କ ୧୦ କୋଟି ଟଙ୍କାର ବନ୍ୟା ପ୍ୟାକେଜର ପ୍ରକୃତ ସୁଫଳ କେବେ ମିଳିବ,ତାହାକୁ ନେଇ ପ୍ରଶ୍ନ ଉଠିଛି। ଘୋଷଣା ଓ ବାସ୍ତବତା ମଧ୍ୟରେ ରହିଥିବା ଏହି ଦୂରତା ଦୂର କରିବାକୁ ତୁରନ୍ତ ଡିବିଟି ବିକ୍ରି ପୋର୍ଟାଲ୍ ଖୋଲିବା,ବିହନ ବିକ୍ରି ପ୍ରକ୍ରିୟା ସ୍ଵାଭାବିକ କରିବା ସହ ଚାଷୀଙ୍କୁ ଶୀଘ୍ର ସହାୟତା ଯୋଗାଇଦେବାକୁ ଚାଷୀଙ୍କ ମହଲରୁ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଡିବିଟି ବିକ୍ରି ପୋର୍ଟାଲ୍ ଖୋଲିବା ପରେ ବିହନ ଦିଆଯିବ ବୋଲି ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ