ଢେଙ୍କାନାଳ ପୌର ଅଧିକାରୀଙ୍କ ସ୍କର୍ପିଓ ଧକ୍କାରେ ଯୁବକ ମୃତ, ଡ୍ରାଇଭର ଫେରାର

କଟକ, (ଓ୍ବାଇଏନଏସ): କଟକ ସହରର ନେତାଜୀ ନଗର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସହ ସମ୍ପୃକ୍ତ ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ସ୍ଥାନୀୟ ବାସିନ୍ଦା ପ୍ରଦୀପ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ପ୍ରଦୀପ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କାରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ପରେ ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ନିଜ ଗାଡ଼ିରେ ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲକୁ ନେଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ହସ୍ପିଟାଲରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଆହତଙ୍କୁ ହସ୍ପିଟାଲ ନିଆଯିବା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏଥିରେ ନିର୍ବାହୀ ଅଧିକାରୀ ଗାଡ଼ିରେ ଯାଉଥିବା ସମୟରେ ଦୁର୍ଘଟଣାକୁ ନେଇ କାହାର ପରାମର୍ଶ ନେଉଥିବା ଦୃଶ୍ୟ ରହିଥିବା ଚର୍ଚ୍ଚା ହେଉଛି। ଏହି ଭିଡିଓକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ଘଟଣା ସମ୍ପର୍କରେ ମଧୁପାଟଣା ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଛି। ଥାନାଧିକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପ୍ରକୃତରେ କିଏ ଗାଡ଼ି ଚଳାଉଥିଲେ, ତାହାର ତଦନ୍ତ ଚାଲିଛି। ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ ଗାଡ଼ିର ମାଲିକ ଆହତଙ୍କୁ ହସ୍ପିଟାଲ ନେଇଥିବା ଜଣାପଡ଼ିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓକୁ ଜବତ କରିଛି। ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି ପୋଲିସ କହିଛି। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ଲାଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ