କାଳୀ ପୂଜା ପାଇଁ ଗଣିଜାଙ୍ଗ ବଜାର ଚଳ ଚଞ୍ଚଳ
ବନ୍ତ(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକର ଗଣିଜାଙ୍ଗ ବଜାର କାଳୀ ପୂଜା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି। ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ପାର୍ଶ୍ୱ ବାରୁଆଳି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ମଣ୍ଡପ ନିକଟରେ ସୁଉଚ୍ଚ ତୋରଣ ନିର୍ମାଣ ସହ ବଜାର ଅଞ୍ଚଳକୁ ବିଭିନ୍ନ ଆଲୋକ ମାଳାରେ ସଜା ଯାଉଛି। ଏହି ପୂଜା ବ୍ଲକର ସର୍ବପୁରାତନ କାଳୀପୂଜା। ପ୍ରାୟ ୭୮ ବର୍ଷ ପୂର୍ବେ ଏହି ପୂଜା ଏଠାରେ ଆରମ୍ଭ ହୋଇଥିଲା। ସ୍ୱର୍ଗତ ଗୌରହରି ପତି, ସିଦ୍ଧେଶ୍ୱର ଧଳ,ମୂର୍ତ୍ତି କାରିଗର ବୃନ୍ଦାବନ ମଜୁମଦାର, କୃଷ୍ଣ ପଣ୍ଡାଙ୍କ ସମେତ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ପୂଜା ଆରମ୍ଭ ହୋଇଥିଲା। ପରେ ବଜାର କମିଟି ପକ୍ଷରୁ ଏହି ପୂଜା ଧୁମଧାମରେ ପାଳିତ ହୋଇଆସୁଛି। ମୂର୍ତ୍ତୀ କାରିଗର ଗୌରାଙ୍ଗ ମୁଦୁଲି ଏବଂ ତାଙ୍କ ସହଯୋଗୀ ମାନେ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି। ପୂଜା ମଣ୍ଡପରେ ନିର୍ମିତ ୧୨ ଫୁଟରୁ ଉର୍ଦ୍ଧ ଉଚ୍ଚତା ବିଶିଷ୍ଟ ମା’କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଏବଂ ପାର୍ଶ୍ଵ ବାରୁଆଳି ମୂର୍ତ୍ତି ଏଥର ବେଶ ଆକର୍ଷଣୀୟ ହୋଇଛି। ପୂଜା ଉତ୍ସବରେ କମିଟି ପକ୍ଷରୁ ମୀନା ବଜାର,ସଂସ୍କୁତିକ କାର୍ଯ୍ୟକ୍ରମ, ଅପେରା ସୋ ର ବ୍ୟବସ୍ଥା କରାଯାଇଛି। ଏହି ପୂଜା ଉତ୍ସବ ୯ ଦିନ ଧରି ଚାଲିବ।


