ଅଡୁଆରେ ପୂର୍ବତନ ସାଂସଦ ଭାସ୍କର ରାଓ, ନଭେମ୍ବର ୯ ସୁଦ୍ଧା ଆତ୍ମସମର୍ପଣ କରିବାକୁ ପଡ଼ିବ: ହାଇକୋର୍ଟ
ଗୁଣପୁର (ୱାଇଏନଏସ):* ରାୟଗଡ଼ାର ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀ ଙ୍କ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏବଂ ଅନ୍ୟ ତିନି ଜଣଙ୍କ ଅଡୁଆ ଵୃଦ୍ଧି ପାଇଛି। ତିନିଟି ଆପରାଧିକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆବେଦନକାରୀମାନଙ୍କୁ ଆସନ୍ତା ନଭେମ୍ବର ୯ ତାରିଖ ସୁଦ୍ଧା ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶାତ୍ମକ ପରାମର୍ଶ ଦେଇଛନ୍ତି। ଏଥିସହ ଜାମିନ ଆବେଦନ ସମ୍ପର୍କରେ ହାଇକୋର୍ଟ ପକ୍ଷରୁ ନୂତନ ଆଦେଶର ଆବଶ୍ୟକତା ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ନଭେମ୍ବର ୬ ତାରିଖରେ ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠରେ CRLMC ନଂ. ୩୫୭୭/୨୦୨୬, CRLMC ନଂ. ୬୯୫/୨୦୨୫ ଓ CRLMC ନଂ. ୩୫୦୮/୨୦୨୬ ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାଗୁଡ଼ିକରେ କେ. କୃଷ୍ଣ ରାଓ, ଏନ ଭାସ୍କର ରାଓ ଓ ଇପିଲି ସନ୍ୟାସୀ ରାଜୁ ଆବେଦନକାରୀ ଥିବାବେଳେ ରାଜ୍ୟ ସରକାର ଓ ଜଗନ୍ନାଥ ମାଣ୍ଡାଙ୍ଗୀ ପ୍ରତିପକ୍ଷ ରହିଛନ୍ତି। ଶୁଣାଣି ସମୟରେ ରାଜ୍ୟ ପକ୍ଷରୁ ଓକିଲ ଜି. ମହାନ୍ତି ଏବଂ ପ୍ରତିପକ୍ଷଙ୍କ ପକ୍ଷରୁ ଓକିଲ ଡି. ସାରଙ୍ଗୀ ଯୁକ୍ତି ଉପସ୍ଥାପନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ପ୍ରତିପକ୍ଷ ସୁପ୍ରିମକୋର୍ଟରେ କ୍ରିମିନାଲ ଅପିଲ୍ ନଂ. ୫୦୪୮/୨୦୨୬ ଦାଖଲ କରିଥିଲେ। ଗତ ଅକ୍ଟୋବର ୨୬ ତାରିଖରେ ସୁପ୍ରିମକୋର୍ଟ ପୂର୍ବ ନିର୍ଦ୍ଦେଶକୁ ପରିବର୍ତ୍ତନ କରି ଆବେଦନକାରୀମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଥିସହ ପୂର୍ବରୁ ଦାଖଲ ହୋଇଥିବା ଜାମିନ ବଣ୍ଡ୍ ଓ ଜାମିନଦାରଙ୍କ ଦାୟିତ୍ୱ ମଧ୍ୟ ରଦ୍ଦ ହେବ ବୋଲି ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନଃବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ନାହିଁ। ଆବେଦନକାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।
ଏହି ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଉଲେଖଯୋଗ୍ୟଯେ ନିର୍ଦେଶନାମାରେ ଆତ୍ମସମର୍ପଣ ନିର୍ଦ୍ଦେଶକୁ ଜାମିନ ମଞ୍ଜୁର କିମ୍ବା ପ୍ରତ୍ୟାଖ୍ୟାନ ବୋଲି ଦର୍ଶାଯାଇନାହିଁ। କାରଣ ଆଦେଶରେ ଆବେଦନକାରୀମାନେ ଆତ୍ମସମର୍ପଣ ସମୟରେ ଜାମିନ ପାଇଁ ଆବେଦନ କରିବାର ସ୍ୱାଧୀନତା ସୁପ୍ରିମକୋର୍ଟଙ୍କ ଆଦେଶରେ ପୂର୍ବରୁ ପାଇଥିବା କଥା ଉଲ୍ଲେଖ ରହିଛି।


