ସରକାରୀ ଦଳର ଚାପ ଯୋଗୁଁ ପ୍ରଶାସନକୁ ଠିକ୍ ଭାବେ କାମ କରିବାକୁ ଦିଆଯାଉନାହିଁ: ସିପିଆଇ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନାକୁ ଦାୟୀ କରିଛନ୍ତି ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା। ଏହା କେବଳ ପ୍ରାକୃତିକ ବିପର୍ଯ୍ୟୟର ପରିଣାମ ନୁହେଁ, ବରଂ ପୂର୍ବ ପ୍ରସ୍ତୁତି ଓ ଠିକ୍ ସମୟରେ କ୍ଷୟକ୍ଷତି ଆକଳନର ଅଭାବ ଯୋଗୁଁ କ୍ଷତିର ପରିମାଣ ବୃଦ୍ଧି ପାଇଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ଦଳ ଓ ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ ରହିଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ସରକାରୀ ଦଳର ଚାପ ଯୋଗୁଁ ପ୍ରଶାସନକୁ ସ୍ୱାଧୀନ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ। ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ରାଜନୀତି ନକରି ରାଜନୀତିରୁ ଊର୍ଦ୍ଧ୍ୱରେ ରହି ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏପର୍ଯ୍ୟନ୍ତ ସଠିକ୍ ଭାବେ ରିଲିଫ୍ ପହଞ୍ଚିନଥିବା ଏବଂ କ୍ଷୟକ୍ଷତିର ସଠିକ୍ ସର୍ଭେ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି। ସିପିଆଇ ପକ୍ଷରୁ ଜଳସେଚିତ ଜମି ପାଇଁ ଏକର ପିଛା ୩୦ ହଜାର ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୧୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ସେହିପରି ଜୀବିକା ହରାଇଥିବା ପରିବାରକୁ ଅତିକମରେ ତିନି ମାସ ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଆର୍ଥିକ ସହାୟତା, କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ଋଣ ଛାଡ଼ ସହ ସୁଧମୁକ୍ତ ଋଣ ଯୋଗାଇଦେବାକୁ ଦାବି ଉଠିଛି।ଏଥିସହ ବନ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୃହଗୁଡ଼ିକର ତୁରନ୍ତ ମରାମତି, ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ଉପକରଣ ଯୋଗାଣ ଏବଂ ସମସ୍ତ ଶିକ୍ଷା ସମ୍ବନ୍ଧୀୟ ଶୁଳ୍କ ଛାଡ଼ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ସିପିଆଇର ରାଜ୍ୟ ଓ ଜିଲ୍ଲାସ୍ତରୀୟ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ଆସିକା, ପୁରୁଷୋତ୍ତମପୁର, ସୋରଡ଼ା, ଶେରଗଡ଼, ହିଞ୍ଜିଳି, ସାନଖେମୁଣ୍ଡି ଓ ଛତ୍ରପୁର ସମେତ ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପ୍ରତିନିଧି ଦଳରେ ରାମକୃଷ୍ଣ ପଣ୍ଡା ମଧ୍ୟ ସାମିଲ ଥିଲେ। ପରିଦର୍ଶନ ସମୟରେ ସେମାନେ ବନ୍ୟା ବିପନ୍ନଙ୍କ ପାଇଁ ଚାଲିଥିବା ରନ୍ଧାଖାଦ୍ୟ କେନ୍ଦ୍ର ବୁଲି ଦେଖିବା ସହ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏଥିସହ ବିପନ୍ନ ପରିବାରଗୁଡ଼ିକୁ ଭେଟି ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ବିପନ୍ନଙ୍କ ଜୀବନ ଓ ଜୀବିକାର ପୁନରୁଦ୍ଧାରକୁ ସର୍ବାଧିକ ଗୁରୁତ୍ୱ ଦେଇ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ରାମକୃଷ୍ଣ ପଣ୍ଡା ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ