ରାଇଘାଟିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କଅଁଳେଇ ବାଲିପାଳ ପଞ୍ଚାୟତ ଅଧିନସ୍ଥ ରାଇଘାଟି ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀ ଜରିଆରେ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ। ପ୍ରାୟ ୫ କୋଟିରୁ ୮କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବାବେଳେ ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ଓ ଆବାସିକ ସୁବିଧା ଉପଲବ୍ଧ ହେବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନାଗାର, ଖେଳ ପଡ଼ିଆ, ବିଶୁଦ୍ଧ ପାନୀୟ ଜଳ ସହିତ ହଷ୍ଟେଲ ଭଳି ଅତ୍ୟାବଶ୍ୟକ ସୁବିଧା ରହିବ। ଏହାଦ୍ୱାରା ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ଲାଭ କରିବା ସହ ନିଜର ପ୍ରତିଭା ବିକାଶ କରିବାର ସୁଯୋଗ ପାଇପାରିବେ। ରାଇଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନିରୁଦ୍ଧ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏବିଡିଓ ରଶ୍ମିରେଖା ନାୟକ, ବିଶିଷ୍ଠ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ସଦସ୍ୟ ଟିକି କିସ୍କୁ, ଏବିଇଓ ପୁର୍ଣ୍ଣଚନ୍ଦ୍ର ଜେନା, ବୈଷୟିକ ପରାମର୍ଶଦାତା କାମେଶ୍ବର ସାହୁ, ସମ୍ମାନିତ ଅତିଥି ଭାବେ ଆଦର୍ଶ ଶିକ୍ଷାବିତ୍ ମୋହନ କୁମାର ମହାନ୍ତି, ସିଆରସିସି ପଙ୍କଜ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଆଶିଷ ଜାଲିଆଳ, ୱାର୍ଡ ସଭ୍ୟ ପ୍ରଫୁଲ୍ଲ ଦଣ୍ଡପାଟ, ପ୍ରଧାନଶିକ୍ଷକ ସଜିଦାନନ୍ଦ ଧୁପାଳ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଜେନା ମଞ୍ଚ ସଂଯୋଜନା କରିଥିଲେ।


