ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଉଠାଇଲେ ବିଶ୍ୱନାଥ ପ୍ରତାପ ଜେନା

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ଗର୍ବ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଜନସମସ୍ୟା ଓ ଦୀର୍ଘଦିନର ଅଧୁରା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଶ୍ୱନାଥ ପ୍ରତାପ ଜେନା। ଶ୍ରୀ ଜେନା ଗତକାଲି କେନ୍ଦୁଝରଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆନନ୍ଦପୁର ନିର୍ବାଚନମଣ୍ଡଳୀର ଗମ୍ଭୀର ଜନସମସ୍ୟାଗୁଡ଼ିକ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବିଶେଷକରି ମରୈଗାଁଠାରୁ ବଳିପୁର ପର୍ଯ୍ୟନ୍ତ ରାସ୍ତାର ଦୟନୀୟ ଅବସ୍ଥା ଓ ଯାତାୟାତରେ ଲୋକମାନେ ଭୋଗୁଥିବା ନାନା ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ଯଥାଶୀଘ୍ର କରିବାକୁ ସେ ଦାବି ଜଣାଇଥିଲେ। ସେହିପରି ପଞ୍ଚୁଗୋଛିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତରଭାଠାରୁ ଆଇତିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପର୍ଯ୍ୟନ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ଅଞ୍ଚଳବାସୀ ବର୍ଷାଦିନରେ ବନ୍ୟା ଓ ଜଳପ୍ଲାବନ ଭଳି ସମସ୍ୟାରୁ ଅନେକାଂଶରେ ଉପକୃତ ହୋଇପାରିବେ ବୋଲି ସେ ମତ ରଖିଥିଲେ। ଏଥିସହିତ ଚାରିନାଳିଆର ପୁନରୁଦ୍ଧାର, ବର୍ଷାଦିନରେ ଅତ୍ୟଧିକ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଅଞ୍ଚଳର ଚାଷଜମି ଓ ଜନବସତିକୁ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଆନନ୍ଦପୁର ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ, ଗମନାଗମନ ବ୍ୟବସ୍ଥାର ଉନ୍ନତି, ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ଓ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟାଗୁଡ଼ିକର ସମାଧାନ ହେବା ସହ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହେଲେ ସାଧାରଣ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିପାରିବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଥିଲେ। ଜନସାଧାରଣଙ୍କ ସ୍ୱାର୍ଥ ଓ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ସେ ଏହି ସମସ୍ତ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ