ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ: ଭକ୍ତ ଚରଣ ଦାସ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କ୍ଷୟକ୍ଷତିର ପରିମାଣ ୫ ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ଗଞ୍ଜାମର ବନ୍ୟା ସ୍ଥିତିକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ବିପନ୍ନଙ୍କୁ ଯଥେଷ୍ଟ ଆର୍ଥିକ ସହାୟତା ଓ ଚାଷୀଙ୍କୁ ସ୍ୱତନ୍ତ୍ର କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। କଂଗ୍ରେସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସହ ଶ୍ରୀ ଦାସ ଗଞ୍ଜାମ ଜିଲ୍ଲାର ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଆସିକା, ଭଞ୍ଜନଗର, ସୋରଡ଼ା, ପୁରୁଷୋତ୍ତମପୁର, ଶେରଗଡ଼, ଛତ୍ରପୁର ଓ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ଛତ୍ରପୁରଠାରେ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା କ୍ଷୟକ୍ଷତି, ବିପନ୍ନଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ରିଲିଫ୍ ଓ ସହାୟତା ବ୍ୟବସ୍ଥାକୁ ଅପର୍ଯ୍ୟାପ୍ତ ବୋଲି ଅଭିହିତ କରିଥିଲେ।   ଶ୍ରୀ ଦାସଙ୍କ କହିବାନୁଯାୟୀ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଘରଦ୍ୱାର, ବ୍ୟବସାୟିକ ପ୍ରତିଷ୍ଠାନ, ସମ୍ପତ୍ତି ଓ ଫସଲ ମିଶାଇ ୫ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି। କେବଳ ଆସିକା ବଜାରରେ ବ୍ୟବସାୟୀମାନଙ୍କର ୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସେ ଦାବି କରିଛନ୍ତି। ଏଭଳି ବ୍ୟାପକ କ୍ଷୟକ୍ଷତି ତୁଳନାରେ ରାଜ୍ୟ ସରକାର କେନ୍ଦ୍ରକୁ ମାଗିବାକୁ ଥିବା ୨୫୨ କୋଟି ଟଙ୍କାର ସହାୟତା ଅତ୍ୟନ୍ତ ନଗଣ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି। ଋଷିକୁଲ୍ୟା ନଦୀ ଓ ଏହାର ଶାଖାନଦୀଗୁଡ଼ିକର ବନ୍ଧ ଭାଙ୍ଗିଯିବା ଫଳରେ ଅନେକ ଅଞ୍ଚଳରେ ୫ରୁ ୧୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏଥିରେ ବ୍ୟାପକ ଚାଷଜମି ନଷ୍ଟ ହେବା ସହ ଚାଷୀମାନେ ଗୁରୁତର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ, ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ ବଣ୍ଟନ ବନ୍ଦ ହୋଇଯିବା ସହ ଶୌଚାଳୟ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ରହିଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।    ଗଞ୍ଜାମର ବନ୍ୟା ପରିସ୍ଥିତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ପରିବାରକୁ ଅତିକମରେ ୨୦ ଲକ୍ଷ ଟଙ୍କାର ସହାୟତା ଓ ଥଇଥାନ ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି। ସେହିପରି ବନ୍ୟା ପ୍ରଭାବିତ ଚାଷୀଙ୍କ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କରିବା ସହ ନଷ୍ଟ ହୋଇଥିବା ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) ଆଧାରରେ ଅତିକମରେ ୫୦ ପ୍ରତିଶତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଏଥିସହ ବନ୍ୟାଞ୍ଚଳର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫିସ୍ ସମ୍ପୂର୍ଣ୍ଣ ଛାଡ଼ କରିବା ସହ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଓ ବ୍ୟାଗ୍ ଯୋଗାଇଦେବାକୁ କଂଗ୍ରେସ ପକ୍ଷରୁ ଦାବି ଉଠାଯାଇଛି। ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦୂର କରିବା ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ