ମହିଳା ଏସିପିଙ୍କୁ ଦୁର୍ବ୍ୟବହାର ଓ ପୁଲିସ ଉପରେ ଆକ୍ରମଣ ଘଟଣା: ୪ ଗିର

କଟକ, (ଓ୍ବାଇଏନଏସ): ଦୀପାବଳି ଅବସରରେ ବାଣ ଫୁଟାକୁ ନେଇ କଟକର ନୟାସଡ଼କ ଅଞ୍ଚଳରେ ଘଟିଥିବା ଉତ୍ତେଜନା ଏବଂ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର ଘଟଣାରେ କଟକ କମିଶନରେଟ୍ ପୁଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଲାଲବାଗ ଥାନା ପୁଲିସ ୧୩ଟି ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସର ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ, ଦୀପାବଳି ରାତିରେ ନୟାସଡ଼କ ଅଞ୍ଚଳରେ କିଛି ଯୁବକ ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିବା ପରେ ମଧ୍ୟ ବାଣ ଫୁଟାଉଥିଲେ। ଏପରିକି ହାତରେ ବାଣ ଧରି ସାଧାରଣ ଲୋକଙ୍କ ଆଡ଼କୁ ଫିଙ୍ଗିବା ସହ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ୩ ନମ୍ବର ଜୋନ୍‌ର ମହିଳା ଏସିପି ଅନନ୍ୟା ଅସ୍ୱସ୍ତି ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ତାଗିଦ୍ କରିଥିଲେ।ତେବେ ପୁଲିସର ନିର୍ଦ୍ଦେଶକୁ ମାନିବା ପରିବର୍ତ୍ତେ କିଛି ଯୁବକ ଉତ୍ତ୍ୟକ୍ତ ହୋଇ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ, ଧସ୍ତାଧସ୍ତି ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମହିଳା ଏସିପିଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା। ଘଟଣାକୁ ନେଇ କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଘଟଣା ପରେ ଲାଲବାଗ ଥାନାରେ ଅଭିଯୋଗ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ଘଟଣାସ୍ଥଳରେ ଉପଲବ୍ଧ ଭିଡିଓ ଆଧାରରେ ପୁଲିସ ୯ରୁ ୧୦ ଜଣଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ଏହାସହ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଇଥିଲା। ତଦନ୍ତ ପରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ବେଆଇନ ସମାବେଶ, ମାରପିଟ୍, ଗାଳିଗୁଲଜ ଓ ଧମକ ଦେବା ଭଳି ୧୩ଟି ଗୁରୁତର ଦଫା ଲାଗିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। ଏ ସମ୍ପର୍କରେ କଟକ ଡିସିପି ଋଷିକେଶ ଡି. ଖିଲାରୀ କହିଛନ୍ତି ଯେ, ପୂଜାପାର୍ବଣ ସମୟରେ ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବା ପାଇଁ ବହୁ ପୁଲିସ କର୍ମଚାରୀ କଟକରେ ନିୟୋଜିତ ହୋଇଥାନ୍ତି। ସେମାନେ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି କାର୍ଯ୍ୟ କରୁଥିବାବେଳେ ଜଣେ ମହିଳା ଏସିପିଙ୍କ ସହ ଏଭଳି ବ୍ୟବହାର କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବା ଏବଂ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ଖବର ପାଇ ଏସିପି ଫୋର୍ସ ସହ ଘଟଣାସ୍ଥଳକୁ ଯାଇଥିଲେ। ନିୟମ ଉଲ୍ଲଂଘନ ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ଯୁବକ ଏହାକୁ ଅବମାନନା କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଘଟଣା ସମ୍ପର୍କରେ ପୁଲିସ ପାଖରେ ଭିଡିଓ ପ୍ରମାଣ ରହିଛି। ଏହାସହ ବିଭିନ୍ନ ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ କରାଯାଇଛି। ସମସ୍ତ ପ୍ରମାଣକୁ ଆଧାର କରି ତଦନ୍ତ ଚାଲିଛି ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଡିସିପି କହିଛନ୍ତି। ପାର୍ବଣ ସମୟରେ ଆଇନଶୃଙ୍ଖଳା ରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ପୁଲିସ କର୍ମଚାରୀଙ୍କ ସହ ଏଭଳି ଆଚରଣ ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ