ହାଟଡ଼ିହିରେ ମିଳିତ ଜନଅଭିଯୋଗ ଶୁଣାଣି
ହାଟଡ଼ିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଓ ଏସ୍ପି ଅନୁପସ୍ଥିତ ଥିବାବେଳେ ବିଭିନ୍ନ ବିଭାଗର ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଯୋଗଦେଇ ଲୋକଙ୍କ ସମସ୍ୟା ଶୁଣିଥିଲେ। ଏହି ଶିବିରରେ ମୋଟ ୧୧୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ହାଟଡ଼ିହି ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗ ଭୂଷଣ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଓ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଶିବିରରେ ଗ୍ରାମ୍ୟ ସମସ୍ୟା, ଗୋଷ୍ଠୀଗତ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ଜମିଜମା ଓ ଅନ୍ୟାନ୍ୟ ସମସ୍ୟା ନେଇ ଲୋକମାନେ ଅଭିଯୋଗ ଜଣାଇଥିଲେ। ୩ରୁ ୪ ମାସ ଅନ୍ତରରେ ଏହି ଶୁଣାଣି ଶିବିର ଆୟୋଜିତ ହେଉଥିବାରୁ ବ୍ଲକର ବିଭିନ୍ନ ଦୂରଦୂରାନ୍ତ ଅଞ୍ଚଳରୁ ଶହ ଶହ ଲୋକ ନିଜ ନିଜ ସମସ୍ୟାର ସମାଧାନ ଆଶାରେ ଶିବିରକୁ ଆସିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜିର ଶିବିରରେ ଗ୍ରାମ୍ୟ ଗୃହ ନିର୍ମାଣ ସମ୍ପର୍କିତ ୧୭ଟି, ପେନସନ ସମ୍ପର୍କିତ ୪୧ଟି, ଜମିଜମା ସମ୍ପର୍କିତ ୧୪ଟି, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସମ୍ପର୍କିତ ୯ଟି, ରାଜସ୍ୱ ଗ୍ରାମର ମାନ୍ୟତା ସମ୍ପର୍କିତ ୬ଟି ଓ ବଦଳି ସମ୍ପର୍କିତ ୩ଟି ଅଭିଯୋଗର ଶୁଣାଣି ହୋଇଥିଲା। ଏହି ଅବସରରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ବ୍ୟାଟେରିଚାଳିତ ଗାଡ଼ିଗୁଡ଼ିକ ବାରମ୍ବାର ଖରାପ ହେଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା। ଗାଡ଼ିର ବିଭିନ୍ନ ଯନ୍ତ୍ରାଂଶ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉନଥିବାରୁ ମରାମତି ପାଇଁ ହିତାଧିକାରୀମାନଙ୍କୁ ବାରମ୍ବାର କେନ୍ଦୁଝର ଯିବାକୁ ପଡ଼ୁଛି। ଫଳରେ ସେମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାଇଥିଲେ। ସେହିପରି ସୋସୋ ଗ୍ରାମରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମରେ ଆବଶ୍ୟକ ଭିତ୍ତିଭୂମି ରହିଥିବାରୁ ଅଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ଏହି ବିଦ୍ୟାଳୟ ସ୍ଥାପନ ଜରୁରୀ ବୋଲି ଗ୍ରାମବାସୀମାନେ ଦାବି ଉପସ୍ଥାପନ କରିଥିଲେ। ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ, ହାଟଡ଼ିହି ତହସିଲଦାର ସଞ୍ଜୟ ସାମନ୍ତରାୟ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହା, ଆନନ୍ଦପୁର ଉପଖଣ୍ଡ କୃଷି ଅଧିକାରୀ ନୀଳମାଧଵ ଦାଶ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦଣ୍ଡପାଟ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡ଼ା, ଆନନ୍ଦପୁର ଏସିଏଫ୍ ଅଶୋକ କୁମାର ବିଶ୍ୱାଳ, ହଦଗଡ଼ର ଭାରପ୍ରାପ୍ତ ଏସିଏଫ୍ ଉମାକାନ୍ତ ଦାସ, ହାଟଡ଼ିହି ବ୍ଲକ ଶିକ୍ଷାଧିକାରୀ ସଦ୍ୟସ୍ନାନ ପଣ୍ଡା, ବ୍ଲକ ଶ୍ରମ ଅଧିକାରୀ ଶାଶ୍ୱତ ପଲେଇ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ସେଠୀ ଓ ସିଡିପିଓ ଉମାମଣି ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶିବିର ପରିଚାଳନାରେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


