ବର୍ଜ୍ୟବସ୍ତୁ ପରିଚାଳନା ଘରୁ ମିଳିଲା ଯୁବକଙ୍କ ମୃତଦେ

ହାଟଡ଼ିହି, (ଓ୍ବାଇଏନଏସ) : ଦୀପାବଳି ରାତିରେ ଘଟିଲା କ’ଣ? କେଉଁ ପରିସ୍ଥିତିରେ ଜଣେ ଯୁବକଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ଘରୁ ଉଦ୍ଧାର ହେଲା? ଭୋଜି ଖାଇବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଯୁବକ। ପରଦିନ ସକାଳେ ଆବର୍ଜନା ଘରୁ ମିଳିଲା ତାଙ୍କ ମୃତଦେହ। ଶରୀରରେ କ୍ଷତଚିହ୍ନ ଥିବା ଅଭିଯୋଗ କରି ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି। ଏଭଳି ଏକ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଅଁରା ଗ୍ରାମର ଶାନ୍ତନୁ ଜେନା। ସୂଚନା ଅନୁଯାୟୀ, ଅଁରା ଗ୍ରାମରୁ ବୃନ୍ଦାବନପୁର ଯାଇଥିବା ରାସ୍ତା ପାର୍ଶ୍ୱରେ ଥିବା ଏକ ଆବର୍ଜନା ଘର ନିକଟରେ ଶାନ୍ତନୁ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହା ଜାଣିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଉପସ୍ଥିତ ଡାକ୍ତର ପରୀକ୍ଷା କରିବା ପରେ ଶାନ୍ତନୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ମୃତ ଶାନ୍ତନୁଙ୍କ ମା’ ପ୍ରମିଳା ଜେନାଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ଗ୍ରାମର ଧବଳେଶ୍ୱର ଆୟଚ ଓରଫ ଭୋଳା, ବାପୁଜୀ ଜେନା, ଲାଲୁ ପରିଡ଼ା ଏବଂ ସନ୍ତୋଷ ରାଜ ପ୍ରମୁଖ ତାଙ୍କ ଘରକୁ ଆସିଥିଲେ।  ଭୋଜି କରିବା ପାଇଁ ଶାନ୍ତନୁଙ୍କୁ ସାଙ୍ଗରେ ଡାକି ନେଇଥିଲେ। ସେମାନଙ୍କ ସହିତ ଶାନ୍ତନୁ ଘରୁ ବାହାରି ଯାଇଥିଲେ। ମାତ୍ର ସେହି ରାତିରେ ସେ ଆଉ ଘରକୁ ଫେରି ନଥିଲେ। ପୁଅ ଘରକୁ ଫେରି ନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ସୋମବାର ସକାଳେ ଶାନ୍ତନୁଙ୍କ ବାପା ଓ ମା’ ତାଙ୍କୁ ଖୋଜାଖୋଜି କରିବା ସହିତ ଭୋଳାଙ୍କ ଘରକୁ ଯାଇ ପୁଅ ବିଷୟରେ ପଚରାଉଚରା କରିଥିଲେ। ସେଠାରେ ଭୋଳାଙ୍କ ପରିବାର ଲୋକେ ଶାନ୍ତନୁ ଭୋଜି ଖାଇସାରି ରାତିରେ ସେଠାରୁ ଚାଲିଯାଇଥିବା କହିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଏହାର କିଛି ସମୟ ପରେ ଭୋଳା ଶାନ୍ତନୁଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଗାଁ ମୁଣ୍ଡରେ ଥିବା ଆବର୍ଜନା ଘରେ ଶାନ୍ତନୁ ପଡ଼ିଥିବା ସୂଚନା ଦେଇଥିଲେ। ଏହି ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶାନ୍ତନୁଙ୍କୁ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଅନ୍ୟପକ୍ଷରେ ମୃତ ଶାନ୍ତନୁଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦର୍ଶାଇ ପରିବାର ଲୋକେ ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ କରିଛନ୍ତି। ଭୋଜି ଖାଇବାକୁ ଡାକି ନେବା ପରେ ଏଭଳି ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି। ତେବେ ଘଟଣାର ପ୍ରକୃତ କାରଣ କ’ଣ ଏବଂ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ନନ୍ଦିପଦା ଥାନାରେ କେସ୍ ନମ୍ବର ୪୦୦/୨୦୨୬ରେ ମାମଲା ରୁଜୁ କରାଯାଇଛି। ପୋଲିସ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଘଟଣା ସହ ଜଡ଼ିତ ବିଭିନ୍ନ ଦିଗକୁ ନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଅଭିଯୋଗରେ ନାମ ଆସିଥିବା ଭୋଳାଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ଶାନ୍ତନୁଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏହି ଘଟଣାକୁ ନେଇ ଅଁରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପରିବାର ଲୋକେ ଘଟଣାର ନିରପେକ୍ଷ ତଦନ୍ତ ସହିତ ମୃତ୍ୟୁର ରହସ୍ୟ ଉନ୍ମୋଚନ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ