ଗୁଣପୁରରେ ମା’କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର
ଗୁଣପୁର,(ୱାଇ ଏନ ଏସ): ମା’ କାଳୀଙ୍କ ଆରାଧନା ପାଇଁ ଉତ୍ସବମୁଖର ହୋଇଉଠିଛି ଗୁଣପୁର ସହର । ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ନିକଟ ମଣ୍ଡପରେ ଦୀପାବଳିରୁ ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ଏହା ସହରର ଏକମାତ୍ର ସ୍ଥାନରେ ମା’ଙ୍କ ପୂଜା ଆଯୋଜିତ ହେଉଥିବାରୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି I ଆଦ୍ୟଶକ୍ତି ମା’ କାଳୀ ସେବା ସମିତି ପକ୍ଷରୁ ଆୟୋଜିତ ଏହି ପୂଜା ୨୦ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ୭ ଦିନ ଧରି ମା’ଙ୍କ ପୂଜା କରାଯିବ ବୋଲି ଅନୁଷ୍ଠାନର ସଭାପତି ରାଧାକୃଷ୍ଣ ପଟନାୟକ ସୂଚନା ଦେଇଛନ୍ତି। ଗତ ଶନିବାର ବୈଦିକ ରୀତିନୀତିରେ ବଂଶଧାରାରୁ ପବିତ୍ର ଜଳ କଳସରେ ଅଣାଯାଇଥିଲା । ଶତାଧିକ ମହିଳା ଓ ଯୁବତୀ ବିରାଟ କଳସ ଶୋଭାଯାତ୍ରା ସାମିଲ ହୋଇଥିଲେ । ଶୋଭାଯାତ୍ରା ମଣ୍ଡପରେ ପହଞ୍ଚିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ରବିବାର ରାତିରେ ପୁରୁଣା ବସ୍ଷ୍ଟାଣ୍ଡର ଦକ୍ଷିଣକାଳୀ ମନ୍ଦିରରୁ ମା’ଙ୍କ ଆଜ୍ଞାମାଳ ଅଣାଯାଇଥିଲା। ଗୀତିନୀତିରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସରିବାପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ମା’ କାଳୀ। ପୂଜକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତ ପୂଜା ଓ ହୋମଯଜ୍ଞ ପରିଚାଳନା କରିଥିଲେ। କର୍ତ୍ତା ଭାବେ ସାଧାରଣ ସମ୍ପାଦକ ନରସିଂହ ଶତପଥୀ ପୂଜା କାର୍ଯ୍ୟ ତୁଲାଉଛନ୍ତି। ପୂଜା କାର୍ଯ୍ୟରେ ଅଜିତ ପଣ୍ଡା,ରମେଶ ମିଶ୍ର ଓ ରିଙ୍କୁ ଦାସ ପ୍ରମୁଖ ସହଯୋଗ କରୁଛନ୍ତି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗତ ସୋମବାର ଦ୍ଵିତୀୟ ସନ୍ଧ୍ୟାରେ ଡ୍ୟାନ୍ସ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ଦିଲ୍ଲୀପ ଚୌଧୁରୀଙ୍କ ଟିମ୍ ପକ୍ଷରୁ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଦେଖିବା ଲାଗି ରଙ୍ଗମଞ୍ଚ ଓ ମିନାବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଥିବା ଲକ୍ଷ୍ୟ କରାଯାଇଛି। କାଳୀ ପୂଜା ଅବସରରେ ଆକର୍ଷଣୀୟ ତୋରଣ ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ପୂଜା ମଣ୍ଡପ ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି I ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟି ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବ କୁ ପୂଜା କମିଟି ସଭାପତି ରାଧାକୃଷ୍ଣ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବାଲାଜୀ ପାଣିଗ୍ରାହୀ, ଉପସଭାପତି ଜନାର୍ଦ୍ଦନ ମହାପାତ୍ର, ସାଧାରଣ ସମ୍ପାଦକ ନରସିଂହ ଶତପଥୀ, କୋଷାଧକ୍ଷ ବିରଞ୍ଚି ପାଣିଗ୍ରାହୀ ଏବଂ ଉପଦେଷ୍ଟା କୈଳାସ ଚନ୍ଦ୍ର ଦାସ, ଗଜା ପାଳ, ବିମଳ ମିଶ୍ର, ଲକ୍ଷ୍ମୀନାରାୟଣ ମିଶ୍ର, ଶିବ ବେହେରା, ଶ୍ରୀକାନ୍ତ, ଅଜିତ ପଣ୍ଡା, ପି. ନାଗଭୂଷଣ, ପ୍ରଶାନ୍ତ ମିଶ୍ର, ରଘୁନାଥ ପାଢ଼ି, ସାମଞ୍ଚଳ ଆଚର୍ଯ୍ୟ, ବିଜୟ ରଥ, ପ୍ରିୟବ୍ରତ ମିଶ୍ର, ମୁନା ପାଢ଼ି, ରାମ ପଟ୍ଟନାୟକ, ସନ୍ତୋଷ କୁମାର ଗୁରୁ,ଶ୍ରୀନିବାସ ସାହୁ, ସୁନା ବେହେରା, ବିଜୟ କୁମାର ସୁନାମୁଦି, କାଳିଆ ରଥ, ଅନିରୁଦ୍ଧ ଚୌଧୁରୀ, ରାମପ୍ରସାଦ ସାବତ ପ୍ରମୁଖ ପରିଚାଳନା କରୁଛନ୍ତି।


