ବିଦ୍ୟାଳୟସ୍ତରରେ ପିଲାଙ୍କ ଦୃଷ୍ଟି ସୁରକ୍ଷାକୁ ଗୁରୁତ୍ୱ: ୨୩୦ ଶିକ୍ଷକଙ୍କୁ ତାଲିମ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ଦୃଷ୍ଟିଶକ୍ତିର ଗୁରୁତ୍ୱକୁ ଉପଲବ୍ଧି କରି ବିଦ୍ୟାଳୟସ୍ତରରେ ଚକ୍ଷୁ ସମସ୍ୟା ଚିହ୍ନଟ ଓ ନିରାକରଣ ଦିଗରେ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା’ ଅଧୀନରେ କୋରାପୁଟସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଆୟୋଜିତ ହୋଇଥିଲା।
ଏହି ଶିବିରରେ ବ୍ଲକର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ, ସିଆରସିସି ଏବଂ ଆଇଇଭି ସ୍ୱେଚ୍ଛାସେବୀଙ୍କ ସମେତ ମୋଟ ୨୩୦ ଜଣ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟରେ ପାଠପଢ଼ୁଥିବା ପିଲାଙ୍କ ଦୃଷ୍ଟିଦୋଷ ଚିହ୍ନଟ, ପ୍ରାଥମିକ ଚକ୍ଷୁ ପରୀକ୍ଷା ପଦ୍ଧତି ଏବଂ ଆବଶ୍ୟକ ତଥ୍ୟ ସଂଗ୍ରହ ଓ ପ୍ରଦାନ ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା ସୁନିଶ୍ଚିତ କରିବା। ଯୋଜନା ଅନୁଯାୟୀ, ଦୃଷ୍ଟିଦୋଷ ଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚଷମା ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ଚକ୍ଷୁରୋଗରେ ଆକ୍ରାନ୍ତ ପିଲାଙ୍କ ନିମନ୍ତେ ମାଗଣା ଚିକିତ୍ସାର ବ୍ୟବସ୍ଥା ରହିଛି। କୋରାପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଡ. ଚନ୍ଦ୍ରକଳା ବଗର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ନିଜ ଅଭିଭାଷଣରେ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ପିଲାଙ୍କ ଦୃଷ୍ଟି ସମସ୍ୟାକୁ ସମୟୋଚିତ ଭାବେ ଚିହ୍ନଟ କରାଗଲେ ସେମାନଙ୍କ ଶିକ୍ଷା ଓ ଭବିଷ୍ୟତ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଚକ୍ଷୁ ଚିକିତ୍ସା ଅଧିକାରୀ ମୁକ୍ତି ରଞ୍ଜନ ଜେନା ଏବଂ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଚକ୍ଷୁ ପରୀକ୍ଷାର ବିଭିନ୍ନ କୌଶଳ ଓ ଆବଶ୍ୟକୀୟ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ବ୍ଲକ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ପ୍ରଦୀପ କୁମାର ପାତ୍ର ତାଲିମ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଯୁକ୍ତା କୁଅଁର ଉପସ୍ଥିତ ଥିଲେ। ମନୋଜ ଦାଶ ଓ ସୁଜିତ ପଲେଇ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।


