କୁଆଖାଇ ବ୍ରିଜ୍ ନିକଟରୁ ୧୪୭ ଗ୍ରାମ ହେରୋଇନ୍ ଜବତ, ଜଣେ ଗିରଫ
କଟକ, (ଓ୍ବାଇଏନଏସ): ନିଶାଦ୍ରବ୍ୟ ଚୋରା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଥିବାବେଳେ କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍କୁ ମିଳିଛି ସଫଳତା। କୁଆଖାଇ ବ୍ରିଜ୍ ନିକଟ କଜିପାଟଣା ରାସ୍ତାରେ ଚଢ଼ାଉ କରି ଅବକାରୀ ଟିମ୍ ୧୪୭ ଗ୍ରାମ ହେରୋଇନ୍ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଜବତ ହେରୋଇନ୍ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ରାଉତ (୨୦)। ତାଙ୍କ ଘର ଅନୁଗୁଳ ଜିଲ୍ଲା ବନରପାଳ ଥାନା ଅନ୍ତର୍ଗତ ସାନ ହିଂସର ଗ୍ରାମରେ। ଅବକାରୀ ବିଭାଗ ତାଙ୍କ ନିକଟରୁ ୧୪୭ ଗ୍ରାମ ହେରୋଇନ୍ ସହ ଏକ କଳା ରଙ୍ଗର ଇଲେକ୍ଟ୍ରିକ୍ ସ୍କୁଟି ଏବଂ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରିଛି। ଏହି ଘଟଣାରେ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କୋର୍ଟକୁ ପଠାଯିବ ବୋଲି ପ୍ରେସ୍ ରିଲିଜ୍ରେ ଉଲ୍ଲେଖ ରହିଛି। କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଟିମ୍ରେ ଏସ୍ଆଇ ନିରୁପମା ସାହୁ, ଏଏସ୍ଆଇ ହରିହର ନାୟକଙ୍କ ସମେତ ଅବକାରୀ କନଷ୍ଟେବଳ ଅଜୟ କୁମାର ଜେନା, ଦେବବ୍ରତ ଓଝା, ପ୍ରିୟତମା ରଥ, ଶଙ୍କର ସିଂହ ଓ ଲକ୍ଷ୍ମଣ ବେହେରା ସାମିଲ ଥିଲେ। କଟକ ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି।


