ଆଜି ବିଶ୍ୱ ଡାଇବେଟିସ୍‍ ଦିବସ

ଆସିକା  (ୱାଇଏନ୍‍ଏସ୍‍) : ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୪ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ଡାଇବେଟିସ୍‍ ଦିବସ । ଦୁର୍ଘଟଣାକୁ ବାଦ୍‍ ଦେଲେ ଅଧିକାଂଶ ପାଟ କାଟିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ମଧୁମେହ ଜନିତ ପାଦର ଘା । ଏହି ଘା ନାଁ କେବଳ ଶାରୀରିକ କଷ୍ଟ ଦେଇଥାଏ ଅବା ଏହାର ଚିକିତ୍ସା ବ୍ୟୟବହୁଳ ଏବଂ ପ୍ରାଣଘାତୀ ମଧ୍ୟ । ତେଣୁ ଡାଇବେଟିସ୍‍ ରୋଗୀଙ୍କ ଠାରେ ପାଦ ଘା ହେବା ମାତ୍ରେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇନେଲେ ସୁସ୍ଥ ଜୀବନ ଜିଇଁବାର ଯଥେଷ୍ଟ ସମ୍ଭାବନା ଅଛି । ବିଶ୍ୱ ଡାଇବେଟିସ୍‍ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ପରାମର୍ଶ ଦେଇକହିଛନ୍ତି ଡାଇବେଟିସ୍‍ ରୋଗୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଉଛି ଶରୀରର ରକ୍ତ ସର୍କରା ଅଂଶକୁ ସଦାସର୍ବଦା ନିୟନ୍ତ୍ରଣରେ ରଖିବା ଏବଂ ନିୟମିତ ଔଷଧ ସେବନ କରିବା । ଡାଇବେଟିସ୍‍ର ଏକ ଜଟିଳ ସମସ୍ୟା ହେଉଛି ପାଦର ଘା । ଯାହାର ପରିଣାମ ସଠିକ୍‍ ଚିକିତ୍ସା ନକଲେ ସ୍ଥଳବିଶେଷରେ ପ୍ରାଣଘାତୀ ବି ହୋଇପାରେ । ଡାଇବେଟିସ୍‍ ପାଦ ଘା ସାଧାରଣତଃ ଗୋଟିଏ ଛୋଟିଆ ଖଣ୍ଡିଆ ବା ଫଟୋକାରୁ ଆରମ୍ଭ ହୋଇଥାଏ ଯେହେତୁ ଅଧିକାଂଶ ମଧୁମେହ ରୋଗୀ ସ୍ନାୟୁ ବା ନର୍ଭ ଯନ୍ତ୍ରଣାକୁ ପ୍ରାରମ୍ଭିକ ପର୍ଯ୍ୟାୟକୁ ଭଲ ଭାବେ ପ୍ରାୟତଃ ଅନୁଭବ କରିପାରି ନଥାନ୍ତି ଏବଂ ସେମାନଙ୍କ କ୍ଷେତ୍ରରେ ଗୋଡକୁ ରକ୍ତ ସଂଚାଳ ସଠିକ୍‍ ଭାବେ ହୋଇପାରି ନଥାଏ ବା କମ୍‍ ହୋଇଥାଏ । ଯାହାରି ଫଳରେ ପାଦର ଛୋଟିଆ ଖଣ୍ଡିଆ ବା ଫଟୋକା ମଧ୍ୟ ସହଜରେ ନ ଶୁଖି ଘାରେ ପରିଣତ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା ଧିରେ ଧିରେ ସଂକ୍ରମିତ ହୋଇ ହାଡକୁ ପହଞ୍ଚିବା ସହ ବିଭିନ୍ନ ସମୟରେ ଜଟିଳ ହୋଇ ପାଦ କାଟିବା ଭଳି ସ୍ଥିତି ମଧ୍ୟ ଉପୁଜିଥାଏ । ମଧୁମେହ ରୋଗୀଙ୍କ ମଧ୍ୟରେ ପ୍ରତି ୪ ଜଣଙ୍କ ମଧ୍ୟରେ ଜଣକ ଠାରେ ପାଦ ଘା ଜନିତ ସମସ୍ୟା ପ୍ରାୟତଃ ଦେଖାଦେଇଥାଏ । ମଧୁମେହ ରୋଗୀମାନେ ଯଥା ସମୟରେ ପାଦର ଚିକିତ୍ସା କରାଇବା, ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା, ନିଜର ପାଦକୁ ପ୍ରତିଦିନ ଯାଞ୍ଚ କରିବା, ଖାଲି ପାଦରେ ନ ଚାଲିବା, ପାଦକୁ ଫିଟ୍‍ ହେଉଥିବା ଜୋତା ପିନ୍ଧିବା, ପ୍ରତିଦିନ ପାଦକୁ ଭଲ ରୂପେ ଧୋଇବା ଏବଂ ବିଶେଷ କରି ଆଙ୍ଗୁଠିର ସନ୍ଧି ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଶୁଖିଲା ପାଦରେ ପ୍ରତ୍ୟେକ ଦିନ ନଡିଆ ତେଲ ମାଲିସ୍‍ କରିବା, ଯଦି ପାଦରେ ଘା ହୁଏ ଏବଂ ତାହା ଶୁଖିବାରେ ବିଳମ୍ବ ହୁଏ ତେବେ ମନ ଇଛା ଔଷଧ ନଖାଇ ଏବଂ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା, ମଧୁମେହ ରୋଗୀ ସଦାସର୍ବଦା ନିଜର ପାଦର ଯତ୍ନ ନେବା ସହ ଘାର ଲକ୍ଷଣ ଦେଖିବା ମାତ୍ରେ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇଲେ ଏହି ସମସ୍ୟାରୁ ଦୂରେଇ ରହିବା ସହିତ ଏକ ସୁସ୍ଥ ଜୀବନ ଅତିବାହିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ମଧୁମେହ ରୋଗରେ ପାଦର ସ୍ନାୟୁ ଦୁର୍ବଳ ହେବା ସହ ରକ୍ତନଳୀ ସଂକୁଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଦ୍ୱାରା ପାଦରେ ରକ୍ତ ସଂଚାଳ କମିବା ସହ ପାଦ ସଂକ୍ରମଣ ଏବଂ ପାଦରେ ଘା ହେବାର ସମ୍ଭାବନା ଅଧିକ ଥାଏ । ଏପରିକି ଅଲ୍‍ସର୍‍ ଆଶଙ୍କା ବଢିଲେ ପାଦ କାଟିବା ଭଳି ପରିସ୍ଥିତି ବି ସ୍ଥଳ ବିଶେଷରେ ସୃଷ୍ଟି ହୋଇଥାଏ । ଏଣୁ ମଧୁମେହ ଆକ୍ରାନ୍ତ ରୋଗୀ ସଦାସର୍ବଦା ନିଜ ପାଦକୁ ସୁରକ୍ଷିତ ରଖିବା ନିତାନ୍ତ ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ