ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ
ବୁଗୁଡ଼ା (ଅନୀଲ କୁମାର ମହରଣା) : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ନଭେମ୍ବର ମାସର ବୈଠକ ପ୍ରଥମ ରବିବାର ୦୧/୧୧/୨୬ ତାରିଖ ପୂର୍ବାହ୍ନ ରେ ଭଞ୍ଜନଗର ଫରେଷ୍ଟ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ ଅକ୍ଟୋବର ଏକ ତାରିଖ ବିଶ୍ଵ ବରିଷ୍ଠ ନାଗରିକ ଦିବସରେ ଏହି ବରିଷ୍ଠ ନାଗରିକ ମଞ୍ଚ କିପରି ସକ୍ରିୟ ଭୂମିକା ଗ୍ରହଣ କରିଥିଲା, ସେ ସମ୍ପର୍କ ରେ ସବିଶେଷ ସୂଚନା ଦେଇଥିଲେ। ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସିଏଚ. ନରସିଂହ ପାତ୍ର ଓ ଭାସ୍କର ନାୟକ ଙ୍କୁ ପରିଚୟ ପତ୍ର ଦିଆଯାଇ ସ୍ୱାଗତ କରାଯାଇଥିଲା। ସଭ୍ୟ ସଂସ୍କୃତି ରତ୍ନ ନାରାୟଣ ମହାରଣା ତାଙ୍କ ବାପାଙ୍କ ସମୟରୁ ନାଟ୍ୟ କଳା ପ୍ରତି ଆଗ୍ରହୀ ଥାଇ କିପରି ଜଣେ ସଫଳ ନାଟ୍ୟକାର ହୋଇପାରିଛନ୍ତି ଓ ଅନ୍ତର୍ଜାତୀୟ ସୁଖ୍ୟାତି ଅର୍ଜନ କରିଛନ୍ତି ବର୍ଣନା କରିଥିଲେ। ଉପସଭାପତି ବାଳକୃଷ୍ଣ ବେହେରା ନିଜ ପଂଚାୟତର ବାଲାଡି, ରତଙ୍ଗ, ମନ୍ଦାର, ସାରିଆପଲ୍ଲୀ ଉସ୍ତାପାଲି ଓ ଇଂଗିନଥି ଚଳିତ ବନ୍ୟାରେ କିପରି କ୍ଷତି ଗ୍ରସ୍ତ ହୋଇଛି ବର୍ଣ୍ଣନା କରିଥିଲେ। ଏମ. ରବୀନ୍ଦ୍ର ପାତ୍ର ଭଞ୍ଜନଗର ମୁନିସିପାଲିଟିରେ କେଉଁ ସାହି କିପରି କ୍ଷତିଗ୍ରସ୍ତ ହୋଇଛି ତାର ଏକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଦସ୍ୟ ଲଡ଼ୁକିଶୋର ପ୍ରଧାନ ଡହ ଡ୍ୟାମ କର୍ତ୍ତୃପକ୍ଷ ଏକ ସମୟରେ ତିନୋଟି ଗେଟ ଖୋଲିଦେବାରୁ ଏପରି ଜଳ ପ୍ରଳୟ ହେଲାବୋଲି କହିଥିଲେ। ବରିଷ୍ଠ ସଦସ୍ୟ ଆଇନଜୀବୀ ସନ୍ତୋଷ କୁମାର ତିଆଡ଼ି ବାଇବେଲ୍ଲୀ ପଂଚାୟତର ଗଡିପାବାଲି ରେ ଭୂସ୍ଖଳନ ଯୋଗୁଁ ନିଖୋଜ ହୋଇ ଯାଇଥିବା ୧୩ ଜଣକ ମଧ୍ୟରୁ ଗତ ରାତ୍ର ସୁଦ୍ଧା ଛଅ ଜଣକ ମର ଶରୀର ମିଳିଛି ଓ ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଥିଲେ। ମୃତ ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି ପାଇଁ ନୀରବ ଶ୍ରଦ୍ଧାଞ୍ଜଳୀ ଜଣା ଯାଇଥିଲା। ମୃତାହତଙ୍କ ପରିବାର ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ମଞ୍ଚ ସରକାରଙ୍କ ପାଖରେ ଦାବୀ ରଖିଛି। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦଚନ୍ଦ୍ର ଲେଙ୍କା, ବିପିନ କୁମାର ବେହେରା, ରଘୁନାଥ ସାହୁ, ବାଳକୃଷ୍ଣ ପାଢ଼ୀ, ବି.ରାମଚନ୍ଦ୍ର ପାତ୍ର, ହୃଷିକେଶ ଲେଙ୍କା, ରଘୁନାଥ ପାତ୍ର, ଭାସ୍କର ପ୍ରଧାନ, ସୂର୍ଯ୍ୟ ମହାରଣା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ମଧୁସୂଦନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


