ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ
କୋଣାର୍କ (ଓ୍ବାଇଏନଏସ) : ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ ଯାତ୍ରୀ ନିବାସର ସମ୍ମେଳନ କକ୍ଷରେ କୋଣାର୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ନବମ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଆସର, ଆଲୋଚନାଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସମ୍ପାଦକ ଭାଗୀରଥୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ‘ସାହିତ୍ୟ, ସଂସ୍କୃତି, କଳାକୃତି ଓ ଇତିହାସର ଅନନ୍ୟ କ୍ଷେତ୍ର କୋଣାର୍କ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ଶକୁନ୍ତଳା ବଳିଆରସିଂହ ମୁଖ୍ୟ ଅତିଥି, ଭାଷାବିତ୍ ତଥା ସାହିତ୍ୟିକ ଡକ୍ଟର ନାରାୟଣ ସେନାପତି ମୁଖ୍ୟବକ୍ତା ଏବଂ ଭାଷାବିତ୍ ତଥା ପ୍ରାକ୍ତନ ଯୁଗ୍ମ ସଚିବ ଆଜାଦ ହିନ୍ଦ ପାଣିଗ୍ରାହୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ସେନା ଅଧିକାରୀ ବିଦ୍ୟାଧର ନାୟକ, ବିଶିଷ୍ଟ ଲେଖିକା କମଳ କୁମାରୀ ଦାଶ, ବାନରସେନା ଶିଶୁ ପତ୍ରିକାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ଗବେଷକ ସଞ୍ଜୟ କୁମାର ବରାଳ, ସତ୍ୟ ଖବରର ସମ୍ପାଦକ ଅକ୍ଷୟ କୁମାର ନାୟକ ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସ୍ୱର୍ଣ୍ଣଲତା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଆଲୋଚନାଚକ୍ରରେ ଅତିଥିମାନେ କହିଥିଲେ ଯେ, କୋଣାର୍କ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟର ଏକ ଅନନ୍ୟ ଗନ୍ତାଘର। ସୂର୍ଯ୍ୟମନ୍ଦିରର ପଥର ଖୋଦିତ ଶିଳ୍ପକଳା ଉତ୍କଳୀୟ କଳା ଓ ସ୍ଥାପତ୍ୟର ମୂକସାକ୍ଷୀ ଭାବେ ଆଜି ମଧ୍ୟ ଦଣ୍ଡାୟମାନ। ଏହା ଓଡ଼ିଆ ଅସ୍ମିତା, ଭାଷା ଓ ସଂସ୍କୃତିର ଗୌରବମୟ ପରିଚୟକୁ ବିଶ୍ୱଦରବାରରେ ପ୍ରତିଷ୍ଠିତ କରିଛି ବୋଲି ସେମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ପରିଷଦର ସମ୍ପାଦକ ଭାଗୀରଥୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ବିଶିଷ୍ଟ କବି ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ଶିକ୍ଷାବିତ୍ ଜୟନ୍ତ କୁମାର ରାୟ, କବି ନୀଲମ କୁମାର ପରିଡ଼ା, କବୟିତ୍ରୀ ଜୟନ୍ତୀ ସ୍ୱାଇଁ ଏବଂ ପରିଷଦର ସଭାପତି ପ୍ରଦୀପ କୁମାର ଛାଟୋଇ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୭୦ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ସେମାନଙ୍କ ମଧ୍ୟରେ ଯାଜପୁରର କବୟିତ୍ରୀ ଜୟନ୍ତୀ ବେହେରା, ନିମାପଡ଼ାର ବିଶ୍ୱଜିତା ବରାଳ, ଅସ୍ତରଙ୍ଗର ସମ୍ପଦ କୁମାର ବେହେରା, କୋଣାର୍କର ନର୍ମଦା ସେଠ, କବି ଚିତ୍ତରଞ୍ଜନ ପୃଷ୍ଟି, ଡେଲାଙ୍ଗର ହରିହର ବଳବନ୍ତରାୟ, ଭଦ୍ରକର ପ୍ରଦୀପ କୁମାର ବଳ ଓ ଗଞ୍ଜାମର ଉମାକାନ୍ତ ବେହେରା ପ୍ରମୁଖ ଅନ୍ୟତମ ଥିଲେ। ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭା ଓ ଅବଦାନ ପାଇଁ ୨୦ ଜଣ ବ୍ୟକ୍ତିବିଶେଷଙ୍କୁ ପରିଷଦ ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ, ସୌଭାଗ୍ୟ ସ୍ୱାଇଁ ଓ ଲକ୍ଷ୍ମୀପ୍ରିୟା ଦର୍ଶନୀ ଛାଟୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସାହିତ୍ୟ, କବିତା ଓ ସଂସ୍କୃତିର ଏହି ମହାମିଳନ କୋଣାର୍କର ସାରସ୍ୱତ ପରିବେଶକୁ ଆହୁରି ସମୃଦ୍ଧ କରିଥିଲା।


