ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ: ୨୦ ପଦବୀ ଖାଲି ରହିବା ଆଶଙ୍କା

କଟକ, (ଓ୍ବାଇଏନଏସ): ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ହ୍ରାସ ଏବଂ ମାମଲା ଜମା ହେବାର ବଢ଼ୁଥିବା ଧାରା ଏବେ ନ୍ୟାୟିକ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ହାଇକୋର୍ଟର ଖାଲି ପଡ଼ିଥିବା ବିଚାରପତି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ଦାବି ଜଣାଇଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର।ଏନେଇ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ପତ୍ର ଲେଖି ଓଡ଼ିଶା ହାଇକୋର୍ଟରେ ନ୍ୟାୟିକ ମାନବସମ୍ବଳ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ସାଂସଦଙ୍କ ଚିଠି ଅନୁଯାୟୀ, ଓଡ଼ିଶା ହାଇକୋର୍ଟ ପାଇଁ ମୋଟ ୩୩ଟି ବିଚାରପତି ପଦବୀ ଅନୁମୋଦିତ ହୋଇଥିବାବେଳେ ନଭେମ୍ବର ୧୫ରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଅବସର ଗ୍ରହଣ କରିବା ପରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇବ। ଫଳରେ ମୋଟ ୨୦ଟି ପଦବୀ ଖାଲି ରହିବା ସହ ଖାଲି ପଦବୀର ହାର ୬୦.୬ ପ୍ରତିଶତରେ ପହଞ୍ଚିବ। ଜାତୀୟ ସ୍ତରରେ ହାଇକୋର୍ଟଗୁଡ଼ିକର ହାରାହାରି ଖାଲି ପଦବୀ ହାର ପ୍ରାୟ ୨୬ ପ୍ରତିଶତ ଥିବାବେଳେ ଓଡ଼ିଶାର ସ୍ଥିତି ତୁଳନାତ୍ମକ ଭାବେ ଅଧିକ ଗମ୍ଭୀର। କେବଳ ବିଚାରପତିଙ୍କ ଅଭାବ ନୁହେଁ, ବିଚାରାଧୀନ ମାମଲାର ବିପୁଳ ସଂଖ୍ୟା ମଧ୍ୟ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହ୍ୱାନ ଦେଉଛି। ସଂସଦରେ ଗତ ଅଗଷ୍ଟ ମାସରେ ଉପସ୍ଥାପିତ ତଥ୍ୟ ଅନୁସାରେ, ଓଡ଼ିଶା ହାଇକୋର୍ଟରେ ୧,୭୦,୩୪୬ଟି ମାମଲା ଫଇସଲା ଅପେକ୍ଷାରେ ରହିଛି। ଏଥିମଧ୍ୟରୁ ୩୮,୯୩୬ଟି ମାମଲା ଦଶ ବର୍ଷରୁ ଅଧିକ ସମୟ ଧରି ଅନିଷ୍ପତ୍ତି ହୋଇ ରହିଥିବା ତଥ୍ୟ ଚିନ୍ତାକୁ ଆହୁରି ବଢ଼ାଇଛି। ସାଂସଦ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ୨୦୨୫ ଡିସେମ୍ବରରେ ହାଇକୋର୍ଟରେ ୨୦ ଜଣ ବିଚାରପତି କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ଅବସର ଓ ବଦଳି ଯୋଗୁଁ ଏହି ସଂଖ୍ୟା କ୍ରମାଗତ ଭାବେ କମିଛି। ଏହାର ପ୍ରଭାବ ମାମଲାର ଶୁଣାଣି ଓ ଫଇସଲା ପ୍ରକ୍ରିୟା ଉପରେ ପଡ଼ିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ନୂତନ ବିଚାରପତି ନିଯୁକ୍ତିକୁ ଆଉ ବିଳମ୍ବ ନକରିବା ସହ ସମ୍ପୃକ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଖାଲି ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଡକ୍ଟର ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ହେଲେ ମାମଲା ଫଇସଲାର ଗତି ବଢ଼ିବା ସହ ଲୋକଙ୍କୁ ସମୟୋଚିତ ନ୍ୟାୟ ମିଳିବାରେ ସହାୟତା ମିଳିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ