ଦୁଇଟି ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର (ସରୋଜ ପଣ୍ଡା) : ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସୁଗମ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପାତ୍ରପଡ଼ା ଓ ଶ୍ରୀକୋଣା ଗ୍ରାମ ପଞ୍ଚାୟତରେ ମୋଟ ୨ କୋଟି ୭୯ ଲକ୍ଷ ୪ ହଜାର ୭୨୭ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ସଡ଼କ ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ପ୍ରଥମ ପ୍ରକଳ୍ପ ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମ ପଞ୍ଚାୟତରେ ଆଇ.ଟି.ଆର୍. ରୋଡ଼ ଠାରୁ ଘିସୁଆଁ ରୋଡ଼ ପର୍ଯ୍ୟନ୍ତ ସଡ଼କ ନିର୍ମାଣ ପାଇଁ ୧ କୋଟି ୪୬ ଲକ୍ଷ ୩୦ ହଜାର ୩୪ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଦ୍ୱିତୀୟ ପ୍ରକଳ୍ପ ଅନ୍ତର୍ଗତ ଶ୍ରୀକୋଣା ଗ୍ରାମ ପଞ୍ଚାୟତରେ ଆଇ.ଟି.ଆର୍. ରାସ୍ତା ଠାରୁ ପୋଖରୀ ଦେଇ ମୁସଲିମ ସାହି ପର୍ଯ୍ୟନ୍ତ ସଡ଼କ ନିର୍ମାଣ ନିମନ୍ତେ ୧ କୋଟି ୩୨ ଲକ୍ଷ ୭୪ ହଜାର ୬୯୩ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଶ୍ରୀକୋଣା ପଞ୍ଚାୟତର ବିଭିନ୍ନ ଜନବସତିକୁ ଉନ୍ନତ ସଡ଼କ ଯୋଗାଯୋଗ ସୁବିଧା ସହ ସଂଯୋଗ କରିବାରେ ସହାୟକ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଗମନାଗମନ ସୁବିଧା ବୃଦ୍ଧି ପାଇବା ସହ ଗ୍ରାମୀଣ ଅର୍ଥନୀତି, କୃଷିଭିତ୍ତିକ କାର୍ଯ୍ୟକଳାପ ଓ ସ୍ଥାନୀୟ ବ୍ୟବସାୟକୁ ନୂତନ ଗତି ମିଳିବ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ଭିତ୍ତିଭୂମି ସହ ଯୋଡ଼ିବା ଏବଂ ସହର ଓ ଗ୍ରାମ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପ ଦ୍ୱୟ ବିଶେଷ ମହତ୍ତ୍ୱ ବହନ କରୁଛି। ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉନ୍ନତ ସଡ଼କ ଯୋଗାଯୋଗ ଏକ ପ୍ରମୁଖ ଆବଶ୍ୟକତା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେବା ସହ ବାଲେଶ୍ୱର ସଦରର ପ୍ରତ୍ୟେକ ଅଞ୍ଚଳରେ ଉନ୍ନତ ଗମନାଗମନ ସୁବିଧା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ବୋଲି ବିଧାୟକ ପରିପ୍ରକାଶ କରିଛନ୍ତି। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଯୋଗାଯୋଗ ଭିତ୍ତିଭୂମିର ସମ୍ପ୍ରସାରଣ, ଗ୍ରାମୀଣ ଜନଜୀବନର ମାନୋନ୍ନତି ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ଦିଗରେ ଏହି ଦୁଇଟି ସଡ଼କ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେବ ବୋଲି ଆଶା ପ୍ରକାଶ ପାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସହାୟକ ଯନ୍ତ୍ରୀ ଉପେନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଅନନ୍ତ ନାୟକ, କାର୍ତ୍ତିକ ରାଉତ, ଅଜୟ ନାୟକ, ଅଜୟ ବିଶ୍ୱାଳ, ଅଶୋକ ଦାସ, ଅସୀମ ମହାନ୍ତି, ରାଧାକୃଷ୍ଣ ମାଝୀ, ଶ୍ରୀମନ୍ତ ମଣ୍ଡଳ, ବୁଲବୁଲି ଖାଣ୍ଡାର, ଜୟନ୍ତ ଓଝା, ପ୍ରତାପ ନାୟକ ଜଗା ଦାସ ପ୍ରମୁଖ ଉପସ୍ଥିତ ଥିଲେ।


