ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ଶକ୍ତି ପ୍ରଦର୍ଶନ, ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେପି ନେତା

ହାଟଡିହି, (ଓ୍ବାଇଏନଏସ): ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିଜର ସାଂଗଠନିକ ସ୍ଥିତି ମଜଭୁତ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ ଜୋରଦାର ହୋଇଛି। ରବିବାର ହାଟଡିହିସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଦଳୀୟ ନେତା ଓ କର୍ମୀମାନେ ଏକଜୁଟ ହୋଇ ବିରୋଧୀ ଦଳକୁ ରାଜନୈତିକ ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତି। ବିଧାନସଭା ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ବିରୋଧୀଙ୍କ ବିରୋଧରେ ଲଢ଼େଇକୁ ତୀବ୍ର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲା ଉପସଭାପତି ଜ୍ଞାନରଞ୍ଜନ ସାମନ୍ତସିଂହାର, ମଣ୍ଡଳ ପ୍ରଭାରୀ ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଅବିନାଶ ସେଠୀ, ବରିଷ୍ଠ କର୍ମୀ ଧବଳେଶ୍ୱର ପଟ୍ଟନାୟକ, ସୁନୀଲ ନାୟକ, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସନାତନ ଜେନା, ସୁଶାନ୍ତ ଜେନା, ଜ୍ଞାନରଞ୍ଜନ ଜେନା, ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଶାଳନିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ହାଟଡିହି ମଣ୍ଡଳ ସଭାପତି ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଦଳର ସମସ୍ତ କର୍ମୀଙ୍କୁ ଶୃଙ୍ଖଳିତ ଓ ସମନ୍ୱୟ ରକ୍ଷା କରି ସାଂଗଠନିକ କାର୍ଯ୍ୟରେ ଲାଗିପଡ଼ିବାକୁ ନେତାମାନେ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ବିଜେପି ପାଇଁ ଏକ ରାଜନୈତିକ ଶକ୍ତିବୃଦ୍ଧିର ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ବିଜେପି କର୍ମୀ ଦିପୁ ଶାସିନୀ, ଗୌରାଙ୍ଗ ନାୟକ ଓ ପ୍ରକାଶ ସ୍ୱାଇଁଙ୍କ ନେତୃତ୍ୱରେ ବିଭିନ୍ନ ଦଳ ଛାଡ଼ି ଶତାଧିକ ଛାମୁଆ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ନବାଗତ ମାନଙ୍କୁ ଦଳୀୟ ଟୋପି  ସହ ଉତ୍ତରୀୟ ପ୍ରଦାନ କରି ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବିଧାନସଭା ନେତା ଆଲୋକ ସେଠୀ ବିରୋଧୀ ଦଳକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ବିରୋଧୀ ଅସହଜ ହୋଇପଡ଼ିଛନ୍ତି। ତେଣୁ ବିଭିନ୍ନ ସମୟରେ କାଳ୍ପନିକ ପ୍ରସଙ୍ଗ ଉଠାଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ବିରୋଧୀଙ୍କ ସହ ରାଜନୈତିକ ଲଢ଼େଇ ଆହୁରି ଜୋରଦାର ହେବ ବୋଲି ସେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ