ଶାସ୍ତ୍ରୀଜୀ ସମ୍ମାନରେ ସମ୍ମାନିତ ହେଲେ ହାଟଡିହିର ସମାଜସେବୀ ସତ୍ୟଭୂଷଣ ସାହୁ
ହାଟଡିହି, (ଓ୍ବାଇଏନଏସ): ସମାଜସେବା, ଶିକ୍ଷାର ବିକାଶ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡ଼ରମ୍ପାସ ଗ୍ରାମର ସମାଜସେବୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ସମ୍ମାନଜନକ ‘ଶାସ୍ତ୍ରୀଜୀ ସମ୍ମାନ’। ଶାସ୍ତ୍ରୀଜୀ କଲ୍ଚରାଲ୍ ଆସୋସିଏସନ୍ ମହାନଦୀ – ଚିତ୍ରୋତ୍ପଳା ଡେଲଟା ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସଫଳତା ହାଟଡିହି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି। ଏହି ଉପଲକ୍ଷେ କଟକ ଜିଲ୍ଲାର ବୋଇଲୋଠାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏବଂ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷେହୀରା ଲକ୍ଷ୍ମୀପ୍ରିୟା ନାୟକ, ପ୍ରଦୀପ ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇଥିଲେ। ଅତିଥିମାନେ ଶ୍ରୀ ସାହୁଙ୍କୁ ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶାସ୍ତ୍ରୀଜୀ ସମ୍ମାନରେ ସମ୍ମାନିତ କରିଥିଲେ। ସତ୍ୟଭୂଷଣ ସାହୁ ଜଣେ ନିର୍ଭୀକ, ସତ୍ୟବାଦୀ ଓ ସୁସଂଗଠକ ଭାବେ ଅଞ୍ଚଳରେ ପରିଚିତ। ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଓ ସେବା ମନୋଭାବକୁ ପାଥେୟ କରି ସେ ଦୀର୍ଘଦିନ ଧରି ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଆସୁଛନ୍ତି। ପରିବେଶର ସନ୍ତୁଳନ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା ଓ ସଚେତନତା ଦିଗରେ ମଧ୍ୟ ଗୁରୁତ୍ୱ ଦେଇଆସୁଛନ୍ତି। ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ମଧୁର ପାନୀୟ ଜଳର ସୁବ୍ୟବସ୍ଥା କରିବା ସହ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି ଦିଗରେ ସେ ଉଦ୍ୟମ କରିଆସୁଛନ୍ତି। ଏଥିସହ କ୍ରୀଡ଼ା କ୍ଷେତ୍ରରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ସେମାନଙ୍କ ମନୋବଳ ବୃଦ୍ଧି ଓ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି। ନିଜ ଗ୍ରାମରେ ଥିବା ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ଶିକ୍ଷାନୁକୂଳ ପରିବେଶ ସୃଷ୍ଟି କରିବାରେ ମଧ୍ୟ ତାଙ୍କର ଭୂମିକା ପ୍ରଶଂସନୀୟ। ଜଣେ ବ୍ୟକ୍ତି ନିଜର ଇଚ୍ଛାଶକ୍ତି, ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ଦ୍ୱାରା ସମାଜରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିପାରେ, ତାହାର ଉଦାହରଣ ପାଲଟିଛନ୍ତି ଶ୍ରୀ ସାହୁ। ହାଟଡିହି ବ୍ଲକର ଜଣେ ସମାଜସେବୀଙ୍କୁ ନିଜ ଜିଲ୍ଲା ବାହାରେ ଏଭଳି ସମ୍ମାନ ମିଳିବା ପରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ଏହି ସମ୍ମାନ ଅନ୍ୟମାନଙ୍କୁ ମଧ୍ୟ ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ଆଗେଇ ଆସିବାକୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।


