ରାଜ୍ୟସ୍ତରୀୟ ସୁରଭି ମହୋତ୍ସବରେ ଆଶାଦେବୀ ହାଇସ୍କୁଲର ସଫଳତା
ହାଟଡିହି, (ଓ୍ବାଇଏନଏସ): ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁରଭି ମହୋତ୍ସବ–୨୦୨୬ରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭୀରାସ୍ଥିତ ଆଶାଦେବୀ ହାଇସ୍କୁଲ ଗୌରବ ଅର୍ଜନ କରିଛି। ବିଦ୍ୟାଳୟର ଦୁଇ ଛାତ୍ର ମାନସ ରଞ୍ଜନ ଗିରି ଓ ଶଶିକାନ୍ତ ଜେନା କନିଷ୍ଠ ବୈଜ୍ଞାନିକ ଭାବେ ନିଜ ପ୍ରତିଭା ପ୍ରଦର୍ଶନ କରି ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ ଉଭୟ ଛାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାର ନିର୍ଦ୍ଦେଶକ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଛାତ୍ରଦ୍ୱୟଙ୍କୁ ବିଜ୍ଞାନ କ୍ଷେତ୍ରରେ ମାର୍ଗଦର୍ଶନ ଦେଇଥିବା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରାଙ୍କୁ ‘ଶ୍ରେଷ୍ଠ ବିଜ୍ଞାନ ଗାଇଡ୍ ଶିକ୍ଷକ’ ଭାବେ ସମ୍ମାନିତ କରାଯାଇଛି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳନା କମିଟି, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଓ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷା ବିଭାଗର ଅଧିକାରୀମାନେ ଛାତ୍ରଦ୍ୱୟ ଓ ଶିକ୍ଷକ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କୃତିତ୍ୱ ହାଟଡିହି ବ୍ଲକ ଓ କେନ୍ଦୁଝର ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଥିବାବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଆଗେଇବାକୁ ପ୍ରେରଣା ଯୋଗାଇବ।


