ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ
କୋଣାର୍କ (ଓ୍ବାଇଏନଏସ): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାନ ଜନଜାତି ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସମାରୋହରେ ପୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଶ୍ରୀ ସେଠୀ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ବଳିଦାନ ଓ ଜନଜାତି ସମାଜ ପ୍ରତି ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ଅବଦାନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ, ଜନଜାତି ସଂସ୍କୃତିକୁ ନେଇ ସ୍ୱତନ୍ତ୍ର ଷ୍ଟଲ୍ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ ଆୟୋଜିତ ହୋଇଥିଲା। ପ୍ରଧାନଶିକ୍ଷକ ନିହାର ପ୍ରସାଦ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷୟିତ୍ରୀ ନୟନା ଶତପଥୀ ଅତିଥି ପରିଚୟ ଓ ରୀତା କୁମାରୀ ବଡ଼ଗାଇଁଆ ସଭା ସଂଯୋଜନା କରିଥିଲେ।


