ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ନାଉଗାଁର ଶିକ୍ଷକ ହିମାଂଶୁ ମହାନ୍ତି
ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡ଼ାଂଶ ପଞ୍ଚାୟତସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହିମାଂଶୁ କୁମାର ମହାନ୍ତି ସାମାଜିକ ବିଜ୍ଞାନ ବିଷୟରେ ଉଲ୍ଲେଖନୀୟ ଶିକ୍ଷାଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଛନ୍ତି। ୨୦୨୬ ଶିକ୍ଷାବର୍ଷ ପାଇଁ ସମଗ୍ର ଜଗତସିଂହପୁର ଜିଲ୍ଲାରୁ ସେ ଏହି ସମ୍ମାନ ପାଇବାରେ ଗୌରବ ଅର୍ଜନ କରିଛନ୍ତି। ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଗତ ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୪ ଓ ୨୦୨୫ ବର୍ଷର ପୁରସ୍କାର ତାଲିକାକୁ ମିଶାଇ ମୋଟ ୩୭୫ଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ କୃତୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ଶାସନ ସଚିବ ଡ. ଏନ୍. ଥିରୁମାଲା ନାଏକ ଏବଂ ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସଙ୍ଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ହିମାଂଶୁଙ୍କ ଏହି ସଫଳତାରେ ବିଦ୍ୟାଳୟ ପରିବାର ସମେତ ନାଉଗାଁ ଓ ଜଗତସିଂହପୁର ଜିଲ୍ଲାର ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


