ବାଲେଶ୍ୱରରେ ପ୍ରତିଷ୍ଠା ହେବ ନୂତନ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର
ବାଲେଶ୍ୱର(ସରୋଜ ପଣ୍ଡା) : ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ବାଲେଶ୍ୱର ଏବେ ମତ୍ସ୍ୟଭିତ୍ତିକ ଶିଳ୍ପ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତଙ୍କ ନିରନ୍ତର ଉଦ୍ୟମ ଓ ପ୍ରସ୍ତାବ କ୍ରମେ ଜିଲ୍ଲାରେ ଏକ ନୂତନ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର (Scampi Cluster) ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଧାନସଭାରେ ବିଧାୟକ ଶ୍ରୀ ଦତ୍ତ ବାଲେଶ୍ୱର ଜିଲ୍ଲାର ମତ୍ସ୍ୟ ଉତ୍ପାଦନ, ଉପଲବ୍ଧ ଭିତ୍ତିଭୂମି ଏବଂ ମତ୍ସ୍ୟଭିତ୍ତିକ ଶିଳ୍ପର ବିକାଶ ସମ୍ପର୍କରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୧ ଲକ୍ଷ ମେଟ୍ରିକ ଟନ୍ ମତ୍ସ୍ୟ ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ କ୍ଷାର, ମଧୁର ଓ ଲୁଣି ଜଳରୁ ମିଳିତ ମତ୍ସ୍ୟ ଉତ୍ପାଦନ ୧ ଲକ୍ଷ ୮୬ ହଜାର ମେଟ୍ରିକ ଟନ୍ରେ ପହଞ୍ଚିଛି। ରାଜ୍ୟରେ ମୋଟ ୧୨.୭ ଲକ୍ଷ ମେଟ୍ରିକ ଟନ୍ ମତ୍ସ୍ୟ ଉତ୍ପାଦନ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସର୍ବାଧିକ ମତ୍ସ୍ୟ ଉତ୍ପାଦନ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ତେବେ କେବଳ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନୁହେଁ, ବରଂ ଏହାର ଉପଯୁକ୍ତ ପ୍ରକ୍ରିୟାକରଣ, ସଂରକ୍ଷଣ, ବଜାର ସଂଯୋଗ ଏବଂ ମତ୍ସ୍ୟଚାଷୀଙ୍କ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ଦତ୍ତ ବାଲେଶ୍ୱରରେ ଆଧୁନିକ ମତ୍ସ୍ୟଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ଆଧାର କରି ଜିଲ୍ଲାରେ ନୂତନ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର ପ୍ରତିଷ୍ଠା ପ୍ରକ୍ରିୟା ଆଗକୁ ବଢ଼ିଛି। ଏହି ପ୍ରକଳ୍ପ ପାଇଁ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସବା ମୌଜାରେ ୬୨.୫୧ ଏକର ଜମି ଚିହ୍ନଟ କରାଯାଇଛି। ଉକ୍ତ ଜମିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହେବା ପରେ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରାଯିବ। ପ୍ରସ୍ତାବିତ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର ପ୍ରତିଷ୍ଠା ହେଲେ ମତ୍ସ୍ୟ ଉତ୍ପାଦର ମୂଲ୍ୟ ସଂଯୋଜନ ଓ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ଉନ୍ନତି ଆସିବ। ଏହାଦ୍ୱାରା ଜିଲ୍ଲାର ହଜାର ହଜାର ମତ୍ସ୍ୟଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ମତ୍ସ୍ୟ ଶିଳ୍ପ ସହ ଜଡ଼ିତ ପରିବାର ଉପକୃତ ହୋଇପାରିବେ। ଏଥିସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ବାଲେଶ୍ୱରରେ ମତ୍ସ୍ୟଭିତ୍ତିକ ଶିଳ୍ପାୟନକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ଯେ, “ବାଲେଶ୍ୱର କେବଳ ମତ୍ସ୍ୟ ଉତ୍ପାଦନରେ ନୁହେଁ, ମତ୍ସ୍ୟଭିତ୍ତିକ ଶିଳ୍ପ ଓ ରପ୍ତାନି କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ କେନ୍ଦ୍ର ଭାବେ ପରିଚିତ ହେଉ, ଏହା ଆମର ଲକ୍ଷ୍ୟ। ଜିଲ୍ଲାର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ପରିଶ୍ରମକୁ ଉପଯୁକ୍ତ ମୂଲ୍ୟ ମିଳିବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂତନ ମାର୍ଗ ପ୍ରଶସ୍ତ ହେବା ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଥିଲା। ବାଲେଶ୍ୱରର ମତ୍ସ୍ୟ ସମ୍ପଦକୁ ଏକ ସୁଦୃଢ଼ ଅର୍ଥନୈତିକ ଆଧାରରେ ପରିଣତ କରିବା ଦିଗରେ ବିଧାୟକ ଶ୍ରୀ ଦତ୍ତଙ୍କ ଏହି ପ୍ରସ୍ତାବ ଓ ଉଦ୍ୟମ ଗୁରୁତ୍ୱ ବହନ କରୁଛି। ଉତ୍ପାଦନ କ୍ଷେତ୍ରରେ ରେକର୍ଡ ସଫଳତା ପରେ ଏବେ ପ୍ରକ୍ରିୟାକରଣ ଓ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ବାଲେଶ୍ୱରର ସାମଗ୍ରିକ ଅର୍ଥନୈତିକ ବିକାଶରେ ନୂତନ ସମ୍ଭାବନା ସୃଷ୍ଟି କରିଛି।


