ବାତ୍ୟା ଆଶଙ୍କାରେ ଆସନ୍ତାକାଲି ବନ୍ଦ ରହିବ ଧବଳେଶ୍ୱର ପୀଠ
କଟକ, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’କୁ ଦୃଷ୍ଟିରେ ରଖି ଆସନ୍ତାକାଲି (୨୦ ତାରିଖ) ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଭକ୍ତମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ବାତ୍ୟାଟି ଗୋପାଳପୁରଠାରୁ ୪୩୦ କିଲୋମିଟର ଏବଂ ପୁରୀଠାରୁ ୪୯୦ କିଲୋମିଟର ଦୂରରେ ରହିଛି।ଅନ୍ୟପକ୍ଷରେ, ଆସନ୍ତାକାଲିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ରହିଥିଲା। ତେବେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଭକ୍ତଙ୍କ ସୁରକ୍ଷା ନିମନ୍ତେ ପୀଠକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଏହି ଦିନ କେବଳ ସେବାୟତମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବ। ଏଥିସହ ଭକ୍ତଙ୍କ ଯାତାୟାତ ପାଇଁ ରହିଥିବା ଝୁଲାପୋଲ ଓ ଆର୍ସିସି ପୋଲ ବନ୍ଦ ରହିବା ସହ ମହାନଦୀରେ ଡଙ୍ଗା ଚଳାଚଳ ମଧ୍ୟ ବନ୍ଦ ରଖାଯିବ। ତେଣୁ ୨୦ ତାରିଖରେ ଶ୍ରଦ୍ଧାଳୁମାନେ ଧବଳେଶ୍ୱର ପୀଠକୁ ନଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।


