ଭୂସ୍ଖଳନ ଆଶଙ୍କାରେ ବେଲଗଡ଼ା ଗ୍ରାମବାସୀଙ୍କୁ ସ୍ଥାନାନ୍ତର

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ସାନଖେମୁଣ୍ଡି ବ୍ଲକ୍‌ର ଭୂସ୍ଖଳନପ୍ରବଣ ବେଲଗଡ଼ା ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ସାନଖେମୁଣ୍ଡି ବ୍ଲକ୍‌ର ଟି. ଗୋବିନ୍ଦପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ହୋଇଥିବା ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସେ ଭୂସ୍ଖଳନ ଆଶଙ୍କା ଥିବା ବେଲଗଡ଼ା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଘରକୁ ଘର ବୁଲି ଲୋକଙ୍କୁ ବାତ୍ୟା ଓ ଭୂସ୍ଖଳନର ସମ୍ଭାବ୍ୟ ବିପଦ ସମ୍ପର୍କରେ ସଚେତନ କରିବା ସହ ନିଜ ଜୀବନର ସୁରକ୍ଷା ପାଇଁ ନିକଟସ୍ଥ ଟି. ଗୋବିନ୍ଦପୁର ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ଯାନବାହନ ବ୍ୟବସ୍ଥା କରାଯାଇ ବେଲଗଡ଼ା ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। ବାତ୍ୟା ସହିତ ସମ୍ଭାବ୍ୟ ଭୂସ୍ଖଳନ ଜନିତ ବିପଦକୁ ଏଡ଼ାଇବା ଏବଂ ପ୍ରତ୍ୟେକ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ଆଗୁଆ ପଦକ୍ଷେପ ଗୁରୁତ୍ୱ ବହନ କରୁଛି। ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ତୃଣମୂଳସ୍ତରରେ ଏଭଳି ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ