ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଲା ବାତ୍ୟା ‘ଅକଭାନ୍‌’

ହାଟଡିହି, (ଓ୍ବାଇଏନଏସ): ପ୍ରକୃତିର ଲୁଚକାଳି ଖେଳରେ ହତାଶ ହୋଇପଡ଼ିଛନ୍ତି ହାଟଡିହି ବ୍ଲକର ଚାଷୀକୁଳ। ଚଳିତ ବର୍ଷ ଧାନ ଚାଷ ଆରମ୍ଭରୁ ହିଁ ବିଭିନ୍ନ ପ୍ରାକୃତିକ ସମସ୍ୟା ଦେଇ ଗତି କରୁଥିବା ଚାଷୀଙ୍କ ପାଇଁ ଏବେ ବାତ୍ୟା ‘ଅକଭାନ୍‌’ ଦୁଃଖର କାରଣ ପାଲଟିଛି। ଗତ ଅକ୍ଟୋବର ମାସରେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ଚାଷୀଙ୍କ ମନରେ ନୂଆ ଆଶା ଓ ଆଶ୍ୱସ୍ତି ଭରିଦେଇଥିବା ବେଳେ ଚଳିତ ନଭେମ୍ବର ମାସରେ ବାତ୍ୟା ‘ଅକଭାନ୍‌’ ସେହି ଆଶାକୁ ଧୂଳିସାତ୍‌ କରିଦେଇଛି। ବର୍ଷକର ପରିଶ୍ରମର ଫଳ ଅମଳ କରିବା ସମୟରେ ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ ତଳି ପକାଇବାଠାରୁ ଆରମ୍ଭ କରି ରୁଆ ଓ ବେଉଷଣ ପର୍ଯ୍ୟନ୍ତ ଚାଷୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଧାନ ତଳି ପକାଇବା ଓ ରୁଆ ପୋତା ସମୟରେ ବାରମ୍ବାର ବର୍ଷା ହେବାରୁ ଚାଷ କାର୍ଯ୍ୟ ଠିକ୍‌ ସମୟରେ ହୋଇପାରି ନଥିଲା। ଫଳରେ ଅନେକ ଚାଷୀଙ୍କୁ ବିଳମ୍ବରେ ଚାଷ କାମ ଶେଷ କରିବାକୁ ପଡ଼ିଥିଲା। ଏହାସହ ବର୍ଷାର ଅନିୟମିତତା ଯୋଗୁଁ ଧାନ ଗଛର ବୃଦ୍ଧି ଓ ଫସଲର ସ୍ୱାଭାବିକ ବିକାଶ ମଧ୍ୟ ପ୍ରଭାବିତ ହୋଇଥିଲା। ଅନ୍ୟପକ୍ଷରେ ଅକ୍ଟୋବର ମାସରେ ବର୍ଷାର ଅଭାବ ଦେଖାଦେବାରୁ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷ ଜମି ଶୁଖି ଯାଇଥିଲା। ବିଶେଷକରି ଅଣଜଳସେଚିତ ଜମିଗୁଡ଼ିକରେ ମାଟି ଫାଟି ଆଁ କରିଥିଲା। ଧାନ ଗଛ ପାଣି ଅଭାବରେ ଶୁଖିବାକୁ ବସିଥିବାରୁ ଚାଷୀମାନେ ଫସଲକୁ ନେଇ ଚିନ୍ତାରେ ପଡ଼ିଥିଲେ। ଏଭଳି ସମୟରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାତାର ଦୁଇରୁ ତିନି ଦିନ ବର୍ଷା ହେବାରୁ ଚାଷ ଜମିରେ ଆବଶ୍ୟକ ପରିମାଣର ପାଣି ରହିଥିଲା। ଏଥିରେ ଚାଷୀମାନେ କିଛିଟା ଆଶ୍ୱସ୍ତି ଅନୁଭବ କରିବା ସହ ଭଲ ଅମଳର ଆଶା ବାନ୍ଧିଥିଲେ। କିନ୍ତୁ ସେହି ଆଶା ଏବେ ନିରାଶାରେ ପରିଣତ ହୋଇଛି। ବାତ୍ୟା ‘ଅକଭାନ୍‌’ର ପ୍ରଭାବରେ ଆଜି ଦିନ ତମାମ ହାଲୁକେ ହାଲୁକେ ପବନ ସହିତ ବର୍ଷା ଲାଗି ରହିଛି। ହାଟଡିହି ବ୍ଲକରେ ସର୍ବାଧିକ ୪୯ ମିଲିମିଟର ବର୍ଷା ପରିମାଣ ରେକର୍ଡ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳର ଚାଷ ଜମି ଏବେ ଜଳମଗ୍ନ ହୋଇପଡ଼ିଛି। ଯୁଆଡ଼େ ଦେଖିଲେ କେବଳ ପାଣି ଆଉ ପାଣି। ଧାନ କିଆରୀରେ ବର୍ଷା ଜଳ ଜମି ରହିବା ସହ ପ୍ରବଳ ପବନ ଯୋଗୁଁ ଅଧିକାଂଶ ଜମିରେ ଧାନ ଗଛ ଭୂମିଶାୟୀ ହୋଇପଡ଼ିଛି। ବର୍ତ୍ତମାନ ଅଧିକାଂଶ ଜମିରେ ଧାନ ଗଛରେ ଫୁଲ ଧରିବା ସହ ଧାନ କ୍ଷୀର ଓ ଦାନା ଧରିବା ପ୍ରକ୍ରିୟା ଚାଲିଥିବା ବେଳେ ବାତ୍ୟାର ପ୍ରଭାବ ଫସଲକୁ ଗୁରୁତର ଭାବେ ପ୍ରଭାବିତ କରିଛି।  ବର୍ଷା ଓ ପବନରେ ଧାନ ଗଛଗୁଡ଼ିକ ଶୋଇ ପଡ଼ିବା ସହ ଅନେକ ସ୍ଥାନରେ ଧାନ ଫୁଲ ଝଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଯେଉଁ ଜମିରେ ଧାନ ପାଚିବା ଆରମ୍ଭ କରିଥିଲା, ସେହି ଜମିରେ ଗଛଗୁଡ଼ିକ ପଡ଼ିଯିବା ଯୋଗୁଁ ପାଚିଲା ଧାନ ଏବେ ବର୍ଷା ପାଣିରେ ବୁଡ଼ି ରହିଛି। ଫଳରେ ଧାନର ଗୁଣବତ୍ତା ହ୍ରାସ ପାଇବା ସହ ଅମଳ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଚାଷୀମାନେ ଅନେକ କଷ୍ଟ ସ୍ୱୀକାର କରି ଚଳିତ ବର୍ଷ  ଧାନ ଚାଷ କରିଥିଲେ। ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରମ, ସମୟ ଓ ଅର୍ଥ ଖର୍ଚ୍ଚ କରିବା ପରେ ଅମଳ ସମୟରେ ବାତ୍ୟାର ଏଭଳି ପ୍ରଭାବ ସେମାନଙ୍କୁ ମାନସିକ ଭାବେ ହତାଶ କରିଦେଇଛି। ଗୋଟିଏ ପଟେ ଜମିରେ ପାଣି ଜମି ରହିଛି, ଅନ୍ୟପଟେ ପଡ଼ିଯାଇଥିବା ଧାନ ଗଛକୁ କିପରି ଉଦ୍ଧାର କରିବେ ତାହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି।ବର୍ଷକର ଆଶା ଓ ପରିଶ୍ରମକୁ ନେଇ ଯେଉଁ ଚାଷୀ ଅମଳ ଦିନକୁ ଅପେକ୍ଷା କରିଥିଲା, ସେହି ଚାଷୀଙ୍କ ପାଇଁ ଏବେ ବାତ୍ୟା ‘ଅକଭାନ୍‌’ ଏକ ବଡ଼ ଦୁଃଖର କାରଣ ପାଲଟିଛି। ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଥିବା ଏହି ବାତ୍ୟା ପରେ ସେମାନେ କିପରି କ୍ଷତିରୁ ମୁକୁଳିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ତେଣୁ କ୍ଷତିଗ୍ରସ୍ତ ଚାଷ ଜମିର ସଠିକ୍‌ ଆକଳନ କରିବା ସହ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବାକୁ ଚାଷୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ