ବସ୍ତା ଭିତରେ ମୃତଦେହକୁ ନେଇ ପୋଲିସ ନାକେଦମ, ଖୋଲିବା ପରେ ବାହାରିଲା ପୋଷା କୁକୁରର ମୃତଦେହ
ହାଟଡିହି, (ଓ୍ବାଇଏନଏସ): ବସ୍ତା ଭିତରେ ମୃତଦେହ ଥିବା ଖବରକୁ ନେଇ ଗାଁରେ ଖେଳିଗଲା ଚାଞ୍ଚଲ୍ୟ । ସମସ୍ତେ ଦୌଡ଼ିଥିଲେ କଣ ପଡିଛି। କିଏ ଛୋଟ ଛୁଆର ମୃତଦେହ ହୋଇଥିବ ତ ଆଉ କିଏ କହିଲା ପୋତିବାକୁ ଆସିଥିଲେ, ପୋତି ପାରି ନାହାନ୍ତି ଶବ ପକେଇ ଦେଇ ପଳେଇଛନ୍ତି। ଖବର ପାଇ ସୋସୋ ଥାନା ଆଇଆଇସି ପୋଲିସ ବଳଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚି ଗଲେ। ଧିରେ ଧିରେ ଲୋକଙ୍କ ଗହଳି ବଢୁଥିବା ବେଳେ ବସ୍ତା ଭିତରେ କଣ ଅଛି ତାହାକୁ ନେଇ ସମସ୍ତଙ୍କ ଉତ୍ସୁକତା ପ୍ରକାଶ ପାଇଥିଲା। ବସ୍ତା ଭିତର ଖୋଲିବା ପାଇଁ ପୋଲିସ ଅଗ୍ନିଶମ ବାହିନୀକୁ ଡାକିଥିଲା। ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ତା ଖୋଲିବା ପରେ ଯାହା ସାମ୍ନାକୁ ଆସିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ବସ୍ତା ଭିତରେ କୌଣସି ମଣିଷର ମୃତଦେହ ନୁହେଁ, ବରଂ ରହିଥିଲା ଏକ ପୋଷା କୁକୁରର ମୃତଦେହ। ଏଭଳି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ସଙ୍ଗମ ଗ୍ରାମ ନିକଟରେ ଘଟିଛି। ସୂଚନା ଅନୁଯାୟୀ, ସଙ୍ଗମ ଗ୍ରାମ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ନିକଟରେ ଏକ ବସ୍ତା ପଡ଼ିଥିବା ଦେଖିବାକୁ ମିଳିଥିଲା। ବସ୍ତା ଭିତରେ କୌଣସି ମୃତଦେହ ଥିବା ନେଇ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଧୀରେ ଧୀରେ ଏହି ଖବର ଆଖପାଖ ଗ୍ରାମକୁ ବ୍ୟାପିବା ସହ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ବସ୍ତା ଭିତରେ କ’ଣ ରହିଛି ଏବଂ ଏହା କୌଣସି ଅପରାଧିକ ଘଟଣା କି ନୁହେଁ, ସେନେଇ ଲୋକଙ୍କ ମନରେ ନାନା ଆଶଙ୍କା ପ୍ରକାଶ ପାଇଥିଲା। ଖବର ପାଇ ସୋସୋ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍ତା ଭିତରେ କ’ଣ ରହିଛି ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା। ଏହାପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସତର୍କତାର ସହ ବସ୍ତାଟି ଖୋଲାଯାଇଥିଲା। ମାତ୍ର ବସ୍ତା ଖୋଲିବା ପରେ ଭିତରୁ ଏକ ପୋଷା କୁକୁରର ମୃତଦେହ ବାହାରିଥିଲା। ଏହା ଜାଣିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଥିବା ବେଳେ ଏତେ ସମୟର ଉତ୍କଣ୍ଠାର ଅନ୍ତ ଘଟିଥିଲା।


