ମୃତ୍ୟୁ ପରେ ବି ଜୀବନ; ଚକ୍ଷୁଦାନ କରି ଅମର ହେଲେ ଯୁବକ

ଗୁଣପୁର (ୱାଇ ଏନ ଏସ): ମୃତ୍ୟୁ ପରେ ମଧ୍ୟ ମଣିଷ ଅନ୍ୟର ଜୀବନରେ ଆଲୋକ ଭରିପାରେ। ଏହାକୁ ସାର୍ଥକ କରିଛନ୍ତି ଜଣେ ୩୦ ବର୍ଷୀୟ ଯୁବକଙ୍କ ପରିବାର। ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଅକାଳ ମୃତ୍ୟୁ ପରେ ପରିବାରବର୍ଗ ତାଙ୍କ ଚକ୍ଷୁଦାନ କରିବାକୁ ନିଷ୍ପତ୍ତି ନେଇ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହତ୍ କାର୍ଯ୍ୟ ଫଳରେ ଦୁଇ ଜଣ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ନୂତନ ଆଲୋକ ଆସିବାର ଆଶା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ଚିକିରିଠାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁବକ ଶ୍ରୀୟାଂଶ ଶେଖର ନାୟକଙ୍କ ମୃତ୍ୟୁ ହୋଇଥିଲା। ୩୦ ବର୍ଷୀୟ ଏହି ଶ୍ରୀୟାଶୁଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଦୋରାଗୁଡ଼ାସ୍ଥିତ ଉତ୍କଳ ଆଲୁମିନାରେ କାର୍ଯ୍ୟ କରୁଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ ଗଭୀର ଶୋକରେ ଭାଙ୍ଗିପଡ଼ିଥିବା ସତ୍ତ୍ୱେ ମୃତକଙ୍କ ଚକ୍ଷୁଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିବାରର ଏହି ମହତ୍ ନିଷ୍ପତ୍ତି ଫଳରେ ଅନ୍ୟ ଦୁଇ ଜଣ ଦୃଷ୍ଟିହୀନ ବ୍ୟକ୍ତି ନୂତନ ଜୀବନର ଆଶା ପାଇଛନ୍ତି। ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଥିବା ଚକ୍ଷୁ ବ୍ୟାଙ୍କ ପାଇଁ ଏହା ଦଶମ ଚକ୍ଷୁଦାନ ବୋଲି ସୂଚନା ମିଳିଛି। ଶୋକର ମୁହୂର୍ତ୍ତରେ ମଧ୍ୟ ଅନ୍ୟର ଜୀବନରେ ଆଲୋକ ଭରିବାର ଏହି ନିଷ୍ପତ୍ତି ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା ଦେଇଛି। ମୃତ୍ୟୁ ପରେ ମଧ୍ୟ ଚକ୍ଷୁଦାନ ମାଧ୍ୟମରେ ଅନ୍ୟର ଜୀବନରେ ବଞ୍ଚି ରହିପାରିବେ ମଣିଷ—ଏହି ଘଟଣା ତାହା ପ୍ରମାଣିତ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ