ଛେନାପଦି-ହଦଗଡ଼ ରାସ୍ତାରେ ଉଠି ଆସିଛି ଲୁହା ରଡ଼, ବିପଦରେ ପଥଚାରୀ

ହାଟଡିହି, (ଓ୍ବାଇଏନଏସ): ରାସ୍ତା ନିର୍ମାଣର ମାତ୍ର ୩ବର୍ଷ ନ ପୂରୁଣୁ ଉଠିଗଲା କଂକ୍ରିଟ, ବାହାରକୁ ବାହାରି ଆସିଲା ଲୁହା ରଡ଼। ରାସ୍ତା ଉପରେ ବିପଜ୍ଜନକ ଭାବେ ରଡ଼ ଉପରକୁ ଉଠି ରହିଥିବାରୁ ଯାତାୟାତ କରୁଥିବା ଗାଡ଼ି ଚାଳକ ଓ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ଯେକୌଣସି ସମୟରେ ଏଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧୀନ ପୂର୍ତ୍ତ ବିଭାଗର ଛେନାପଦି-ହଦଗଡ଼ ମୁଖ୍ୟ ରାସ୍ତାର ଛେନାପଦି ଗ୍ରାମ ନିକଟରେ ଥିବା କେନାଲ ଉପର ପୋଲରେ ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ପ୍ରାୟ ୩ ବର୍ଷ ପୂର୍ବରୁ ଏହି ପୋଲ ନିର୍ମାଣ କରାଯାଇଥିଲା। ପୋଲର ଉଭୟ ପାର୍ଶ୍ୱର ସଂଯୋଗୀକରଣ ରାସ୍ତାରେ ଲୁହା ରଡ଼ ବିଛାଇ କଂକ୍ରିଟ କରାଯାଇଥିଲା। ମାତ୍ର ଏତେ କମ୍‌ ସମୟ ମଧ୍ୟରେ ରାସ୍ତାର କଂକ୍ରିଟ ଉଠିଯିବା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ କିଛିଦିନ ହେବ ପୋଲର ସଂଯୋଗୀକରଣ ରାସ୍ତାର ୨ରୁ ୩ଟି ସ୍ଥାନରେ କଂକ୍ରିଟ ଉଠିଯାଇ ଲୁହା ରଡ଼ ସବୁ ବାହାରକୁ ଦେଖାଯାଉଥିଲା। ନିୟମିତ ଭାବେ ଏହି ରାସ୍ତାରେ ଭାରୀଯାନ ସମେତ ବିଭିନ୍ନ ଯାନବାହନ ଯାତାୟାତ କରୁଥିବାରୁ ରଡ଼ଗୁଡ଼ିକ ଧୀରେ ଧୀରେ ଉପରକୁ ଉଠି ଆସିଛି। ଫଳରେ ରାସ୍ତା ଦେଇ ଯାଉଥିବା ଦୁଇଚକିଆ ଯାନ ଚାଳକ, ସାଇକେଲ ଆରୋହୀ ଓ ପଥଚାରୀମାନେ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ରାସ୍ତାରେ ଉଠି ରହିଥିବା ଲୁହା ରଡ଼ ସହଜରେ ଦୃଷ୍ଟିକୁ ଆସୁନଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ିଯାଉଛି। ଅଜଣା ଚାଳକ ଏହି ସ୍ଥାନ ଦେଇ ଯିବା ସମୟରେ ହଠାତ୍‌ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି। ଏପରିକି ଯାନବାହନର ଟାୟାର ନଷ୍ଟ ହେବା ସହ ଚାଳକଙ୍କ ନିୟନ୍ତ୍ରଣ ହରାଇବାର ଆଶଙ୍କା ମଧ୍ୟ ରହିଛି। ଏହି ବିପଦକୁ ଦୃଷ୍ଟିରେ ରଖି କିଛି ସଚେତନ ସ୍ଥାନୀୟ ଯୁବକ ନିଜସ୍ୱ ଉଦ୍ୟମରେ ସେଠାରେ ସତର୍କ ସୂଚନା ଲଗାଇଛନ୍ତି। ଯାହାଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଲୋକେ ପୂର୍ବରୁ ସତର୍କ ହୋଇପାରିବେ। ତେବେ କେବଳ ସତର୍କ ସୂଚନା ଲଗାଇଦେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଏଣୁ ପୂର୍ତ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହି ସ୍ଥାନକୁ ତୁରନ୍ତ ଯାଞ୍ଚ କରିବା ସହ ବିପଦପୂର୍ଣ୍ଣ ଭାବେ ବାହାରି ରହିଥିବା ଲୁହା ରଡ଼ଗୁଡ଼ିକର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।  ଯାତାୟାତକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ