ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ହରିୟାଣାର ବିଶାଳ ସ୍କୋର, ୩୩୧ ରନ୍ରେ ପଛରେ ଓଡ଼ିଶା
କଟକ, (ଓ୍ବାଇଏନଏସ): ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଏଲିଟ୍-ସି (ଅଣ୍ଡର-୧୬) ବହୁଦିବସୀୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ମୁକାବିଲା ଜାରି ରହିଛି। ବିସିସିଆଇର ୨୦୨୬-୨୭ ଘରୋଇ କ୍ରିକେଟ୍ ସିଜନ୍ର ଏହି ମ୍ୟାଚ୍ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ର ନାଭୁଲେ ଷ୍ଟାଡିୟମ୍, ଶିବମୋଗାଠାରେ ଖେଳାଯାଉଛି। ମ୍ୟାଚ୍ର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ହରିୟାଣା ନିଜର ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୦୨ ରନ୍ କରି ଇନିଂସ ଘୋଷଣା କରିଛି। ହରିୟାଣା ପକ୍ଷରୁ ଯଶବର୍ଦ୍ଧନ ରାଠୀ ୩୦୯ ବଲ୍ରୁ ୧୬୮ ରନ୍ର ଚମତ୍କାର ଇନିଂସ ଖେଳିଥିବାବେଳେ ଅଶ୍ୱିନ ଲୋହାନ ୧୬୪ ବଲ୍ରୁ ୧୧୭ ରନ୍ ସଂଗ୍ରହ କରିଥିଲେ। ଓଡ଼ିଶା ପକ୍ଷରୁ ସିଦେଶ୍ୱର ବାଗ ୮୮ ରନ୍ ବ୍ୟୟ କରି ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ସୁଭମ ପରିଡ଼ା ଗୋଟିଏ ୱିକେଟ୍ ନେଇଥିଲେ। ଏହାର ଜବାବରେ ଓଡ଼ିଶା ନିଜର ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫୭.୫ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଛି। ଓଡ଼ିଶା ପକ୍ଷରୁ ମିଧାଂଶୁ ଦାସ ୧୬୩ ବଲ୍ରୁ ୮୨ ରନ୍ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିବାବେଳେ ସୁରଜ ଜୟସ୍ୱାଲ ୫୧ ବଲ୍ରୁ ୩୯ ରନ୍ କରି ଅପରାଜିତ ରହିଛନ୍ତି। ହରିୟାଣା ପକ୍ଷରୁ କାର୍ତ୍ତିକ ଅଧାନା ଓ ଯଶବର୍ଦ୍ଧନ ରାଠୀ ୨ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ହରିୟାଣା ୩ ୱିକେଟ୍ ହରାଇ ୩୨୦ ରନ୍ କରିଥିଲା। ସେତେବେଳେ ଯଶବର୍ଦ୍ଧନ ରାଠୀ ୧୪୪ ରନ୍ କରି ଅପରାଜିତ ଥିବାବେଳେ ବିରାଟ ତ୍ୟାଗୀ ୬୨ ରନ୍ କରିଥିଲେ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ହରିୟାଣା ଠାରୁ ଓଡ଼ିଶା ୩୩୧ ରନ୍ରେ ପଛୁଆ ରହିଛି। ଆଗାମୀ ଦିନର ଖେଳରେ ଓଡ଼ିଶା ବ୍ୟାଟରମାନଙ୍କ ଉପରେ ଦଳର ସ୍ଥିତି ସୁଧାରିବାର ଦାୟିତ୍ୱ ରହିବ।


