ବର୍ଷା ବିପର୍ଯ୍ୟୟରୁ ଫେରୁଛି ବାଲିଯାତ୍ରା ପଡ଼ିଆ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି

କଟକ,(ଓ୍ବାଇଏନଏସ): ଅବିରତ ବର୍ଷାରେ ବେହାଲ ହୋଇପଡ଼ିଥିବା ଐତିହାସିକ ବାଲିଯାତ୍ରା ପଡ଼ିଆକୁ ପୁଣିଥରେ ସଜାଡ଼ିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ହାତରେ ଆଉ ମାତ୍ର ଦୁଇ ଦିନ ଥିବାରୁ ବିଭିନ୍ନ ବିଭାଗର କର୍ମଚାରୀ ଓ ଶ୍ରମିକମାନେ ଦିନରାତି କାମରେ ଲାଗିପଡ଼ିଛନ୍ତି। ପାଗରେ ସୁଧାର ଆସିବା ପରେ ପଡ଼ିଆରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଗତି ଧରିଛି। ଗତ ଶୁକ୍ରବାର ପର୍ଯ୍ୟନ୍ତ ପଡ଼ିଆର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିବା ସହ ରାସ୍ତା କାଦୁଅରେ ଭର୍ତ୍ତି ହୋଇଥିଲା। ତେବେ ରାତିସାରା ଅଗ୍ନିଶମ ବାହିନୀ ଓ କେଏମ୍‌ସି ଇଞ୍ଜିନିୟରିଂ ଟିମ୍‌ର ମିଳିତ ଉଦ୍ୟମରେ ଜଳ ନିଷ୍କାସନ କରାଯାଇଛି। ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି ଓ ପଡ଼ିଆ ସମତଳ କରିବା କାମ ଚାଲିଛି। ମୁଖ୍ୟ ପେଣ୍ଡାଲ ସମ୍ମୁଖରେ ବଜୁରୀ ବିଛାଯାଇଥିବା ବେଳେ ଅନ୍ୟ ସ୍ଥାନରେ ଯନ୍ତ୍ରପାତି ସହାୟତାରେ ଗାତ ପୋତିବା ଓ ରାସ୍ତା ସଜାଡ଼ିବା କାର୍ଯ୍ୟ ଜାରି ରହିଛି। ପଡ଼ିଆର ଅବସ୍ଥା ସୁଧୁରିବା ପରେ ଦୋଳି ମାଲିକଙ୍କଠାରୁ ଆରମ୍ଭ କରି ଷ୍ଟଲ୍ ନିର୍ମାଣକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ଗଣକବି ବୈଷ୍ଣବ ପାଣି ମଞ୍ଚ ନିର୍ମାଣରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ନିର୍ମାଣକାରୀ ସଂସ୍ଥା ଅନୁଯାୟୀ, ଏହି ମଞ୍ଚର ପ୍ରାୟ ୭୦ ପ୍ରତିଶତ କାମ ଶେଷ ହୋଇଛି। ସେହିପରି ପଡ଼ିଆରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ। ଅଧିକାଂଶ ସ୍ଥାନରେ ଟ୍ରାନ୍ସଫର୍ମର ସ୍ଥାପନ ହୋଇସାରିଛି। ଅବଶିଷ୍ଟ କାମ ଶେଷ ହେବା ପରେ ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ବିଦ୍ୟୁତ୍ ସଂଯୋଗ ଦେବାକୁ ଯୋଜନା ରହିଛି। ଶନିବାର ସନ୍ଧ୍ୟା କିମ୍ବା ରବିବାର ପୂର୍ବାହ୍ନ ସୁଦ୍ଧା ପଡ଼ିଆକୁ ଯାତ୍ରା ପାଇଁ ପ୍ରସ୍ତୁତ କରିବା ନେଇ ଆଶା ରଖିଛି ପ୍ରଶାସନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ