ରାସ୍ତା ମଝିରେ ବେଆଇନ ଘର, ଉଚ୍ଛେଦ ଦାବିରେ କମିଶନରଙ୍କୁ ଦାବିପତ୍ର
କଟକ,(ଓ୍ବାଇଏନଏସ): ନୂଆବଜାର-ତିନିଘରିଆ ମୁଖ୍ୟ ରାସ୍ତା ମଝିରେ ରହିଥିବା ଏକ ବେଆଇନ ଘରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଉକ୍ତ ଘର ଯୋଗୁଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦିନ ଓ ରାତିରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏହା ଦ୍ୱାରା ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିବା ଅଭିଯୋଗ ହୋଇଛି। ରାସ୍ତା ମଝିରେ ଥିବା ଏହି ଘରର ଏକ ଅଂଶକୁ ଭଡ଼ା ସୂତ୍ରରେ ଦିଆଯାଇ ଅର୍ଥ ଆଦାୟ କରାଯାଉଥିବା ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହାର ତୁରନ୍ତ ଉଚ୍ଛେଦ ଦାବିରେ ‘ରାଧାମାଧବ ସେବା ସମିତି’ ଓ ତିନିଘରିଆ ଗ୍ରାମବାସୀଙ୍କ ପକ୍ଷରୁ କଟକ ମହାନଗର ନିଗମ କମିଶନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସମିତିର ସମ୍ପାଦକ ରବୀନ୍ଦ୍ର ବେହେରା ଓ ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଆୟୁକ୍ତ ବରେନ୍ଦୁ ମହାନ୍ତିଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ। ଏଥିରେ ଉକ୍ତ ଘରର ସ୍ଥିତି ଯାଞ୍ଚ କରି ତୁରନ୍ତ ଉଚ୍ଛେଦ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ, ତିନିଘରିଆଠାରେ ୨୦୨୧ ମସିହାରେ ନିର୍ମିତ ଡମ୍ପିଂ ୱାର୍ଡକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ କଟକ ମହାନଗର ନିଗମର ୫୧, ୫୨ ଓ ୫୩ ନମ୍ବର ୱାର୍ଡରୁ ସଂଗୃହୀତ ଅଳିଆ, ଆବର୍ଜନା ଓ ପଚାସଢ଼ା ସାମଗ୍ରୀ ଗଦା ହୋଇ ରହୁଥିବାରୁ ଏହାର ଦୁର୍ଗନ୍ଧରେ ନିକଟବର୍ତ୍ତୀ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ୁଛନ୍ତି। ଏହି ସମସ୍ୟାର ମଧ୍ୟ ତୁରନ୍ତ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଉଭୟ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ସାତଦିନ ମଧ୍ୟରେ ସମାଧାନ କରିବାକୁ ଦାବିକାରୀମାନେ କର୍ତ୍ତୃପକ୍ଷଙ୍କୁ ମହଲତ ଦେଇଛନ୍ତି। ନଚେତ୍ ରାସ୍ତାରୋକ ସମେତ ଜନଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଅବସରରେ ପ୍ରଣୟ କୁମାର ଖୁଣ୍ଟିଆ, ଅଟଳ କିଶୋର ଜେନା, ଆଲୋକ ବସ୍ତିଆ, ବାବୁଲି ବସ୍ତିଆ, କାଳିଆ ସ୍ୱାଇଁ, ଜିନୁ ଖୁଣ୍ଟିଆ, ସନ୍ତୋଷ କୁମାର ଜେନା, ବ୍ରଜ କିଶୋର ସାହୁ ଓ ଶୋଭନ୍ତ ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।


