ସାଧବପୁଅଙ୍କ ସାହସିକତାରୁ ଆଜିର ପିଢ଼ି ଶିଖିବା ଉଚିତ: ରାଷ୍ଟ୍ରପତି

କଟକ, (ଓ୍ବାଇଏନଏସ): ଓଡ଼ିଶାର ଗୌରବମୟ ଐତିହ୍ୟ, ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବପୁଅଙ୍କ ସାହସିକ ସାମୁଦ୍ରିକ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିଛି ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା। ଭାରତର ମାନନୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଐତିହାସିକ ବାଲିଯାତ୍ରା-୨୦୨୬ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ସମୃଦ୍ଧ ଅତୀତକୁ ସ୍ମରଣ କରିବା ସହ ଆଗାମୀ ଦିନରେ ଏକ ବିକଶିତ ଓ ଶିଳ୍ପସମୃଦ୍ଧ ଓଡ଼ିଶା ଗଠନର ଆଶା ପ୍ରକାଶ କରିଛନ୍ତି। ମହାନଦୀର ବକ୍ଷରେ ସୁସଜ୍ଜିତ ସ୍ୱତନ୍ତ୍ର ନୌକା ‘କଳିଙ୍ଗ ତରଙ୍ଗିଣୀ’ରେ ଯାତ୍ରା କରି ବାଲିଯାତ୍ରା ପଡ଼ିଆରେ ପହଞ୍ଚିଥିଲେ ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ଶ୍ରୀଯୁକ୍ତ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଗଡ଼ଗଡ଼ିଆ ଘାଟଠାରେ ପୁଣ୍ୟତୋୟା ମହାନଦୀର ଆଳତୀ, ପୂଜା ଓ କୀର୍ତ୍ତନ ସହ ବୋଇତ ବନ୍ଦାଣର ପାରମ୍ପରିକ ଆୟୋଜନ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ବୋଇତ ଭସାଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଜଣାଇଥିଲେ। ସନ୍ଧ୍ୟାରେ ତଳ ବାଲିଯାତ୍ରା ପଡ଼ିଆସ୍ଥିତ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରେ ସେ ଗାଡ଼ିରେ ବୁଲି ବାଲିଯାତ୍ରା ପଡ଼ିଆର ବିଭିନ୍ନ ଆକର୍ଷଣୀୟ ଆୟୋଜନ ଓ ଓରମାସ୍‌ର ଷ୍ଟଲ ପରିଦର୍ଶନ କରିଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଅତ୍ୟନ୍ତ ଗୌରବମୟ। ଏକଦା ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଥିଲା। ସାଧବପୁଅମାନେ ଅନେକ ବାଧାବିଘ୍ନ ଓ ବିପଦକୁ ସାମ୍ନା କରି ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିଲେ। ସେମାନଙ୍କ ସାହସ, ଉଦ୍ୟମ, ଦୂରଦୃଷ୍ଟି ଓ ବାଣିଜ୍ୟିକ ଦକ୍ଷତାରୁ ଆଜିର ଯୁବପିଢ଼ି ଅନେକ କିଛି ଶିଖିପାରିବେ ବୋଲି ସେ ମତ ଦେଇଥିଲେ। ଓଡ଼ିଶାର ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଶା ପ୍ରକାଶ କରି ରାଷ୍ଟ୍ରପତି କହିଥିଲେ, ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂରଣ କରିବ। ଏହି ଐତିହାସିକ ମାଇଲଖୁଣ୍ଟ ପୂର୍ବରୁ ରାଜ୍ୟ ବିକାଶର ନୂଆ ଶିଖର ଛୁଇଁବା ଆବଶ୍ୟକ। ଆଗାମୀ ଦିନରେ ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ଭାବେ ଉଭା ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନକୁ ସ୍ମରଣ କରିଥିଲେ ରାଷ୍ଟ୍ରପତି। ୧୯୦୪ ମସିହାରେ କଟକରେ ମଧୁବାବୁ ପ୍ରତିଷ୍ଠା କରିଥିବା ‘ଉତ୍କଳ ଟ୍ୟାନେରୀ’ ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରେରଣାଦାୟୀ ଉଦାହରଣ ବୋଲି ସେ ଉଲ୍ଲେଖ କରିଥିଲେ। ନିଜ ଉଦ୍ୟମ ଓ ଦୂରଦୃଷ୍ଟି ବଳରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାରେ ମଧୁବାବୁଙ୍କ ଭୂମିକା ଆଜି ମଧ୍ୟ ସ୍ମରଣୀୟ ବୋଲି ସେ କହିଥିଲେ। ସେହିପରି ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ଜାତୀୟ ସ୍ତରରେ ପରିଚିତ କରାଇବା ଦିଗରେ କନ୍ଧମାଳ ହଳଦୀ ଓ କୋରାପୁଟ କଫିର ଉଦାହରଣ ଦେଇଥିଲେ ରାଷ୍ଟ୍ରପତି। ଏହି ଦୁଇଟି ଉତ୍ପାଦ ଆଜି ଦେଶବ୍ୟାପୀ ପରିଚିତି ହାସଲ କରିଛି। ଓଡ଼ିଶାର ସ୍ଥାନୀୟ ଉତ୍ପାଦ, କୃଷି ଓ ଉଦ୍ୟୋଗରେ ଥିବା ସମ୍ଭାବନାକୁ ଆହୁରି ଆଗକୁ ନେବାର ଆବଶ୍ୟକତା ରହିଛି ବୋଲି ତାଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ