ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟରେ ନ୍ୟାୟ ଦାବି

କଟକ, (ଓ୍ବାଇଏନଏସ): ମହାନଦୀ ଜଳ ବିବାଦରେ ଓଡ଼ିଶାକୁ ନ୍ୟାୟ ପ୍ରଦାନ ଦାବିରେ ଆଉ ଏକ ପଦକ୍ଷେପ ନେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ମହାନଦୀ ଟ୍ରିବ୍ୟୁନାଲଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଆବେଦନକୁ ଆଜି ଓଡ଼ିଶାର ଆଡଭୋକେଟ୍ ଜେନେରାଲଙ୍କ ନିକଟରେ ଦାଖଲ କରିଛି ଆନ୍ଦୋଳନର ଏକ ପ୍ରତିନିଧି ଦଳ। ଆବେଦନଟିକୁ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୫ ତାରିଖରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସିଧାସଳଖ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟରେ ଏହି ଆବେଦନ ଦାଖଲ କରିବାକୁ ଉଦ୍ୟମ ହୋଇଥିଲା। ମାତ୍ର ସରକାରଙ୍କ ବାହାରେ ଥିବା ବ୍ୟକ୍ତିବିଶେଷଙ୍କଠାରୁ ସିଧାସଳଖ ଆବେଦନ ଗ୍ରହଣ କରିବାର ବ୍ୟବସ୍ଥା ନଥିବା ଟ୍ରିବ୍ୟୁନାଲର ରେଜିଷ୍ଟ୍ରାର ସ୍ପଷ୍ଟ କରିଥିଲେ। ଏଥିସହ ଓଡ଼ିଶା ସରକାରଙ୍କ ମାଧ୍ୟମରେ ଆବେଦନଟି ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇବାକୁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଅନୁଯାୟୀ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ହାଇକୋର୍ଟ ପରିସରରେ ଥିବା ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯାଚିକା ଦାଖଲ କରିଥିଲେ। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଅନୁପସ୍ଥିତ ଥିବାରୁ ପ୍ରତିନିଧି ଦଳ ସରକାରୀ ଓକିଲ କୈଳାସ ଚନ୍ଦ୍ର କରଙ୍କୁ ଭେଟି ଆବେଦନପତ୍ର ହସ୍ତାନ୍ତର କରିଥିଲେ। ଏହାକୁ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟକୁ ପଠାଇବାକୁ ସେମାନେ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳରେ ଆବାହକ ସୁଦର୍ଶନ ଦାସଙ୍କ ସମେତ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ କୁମାର ବିଷୋୟୀ, ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି, ପୂର୍ବତନ ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ପାଦକ ରଞ୍ଜନ କୁମାର ନାୟକ, ଆଇନଜୀବୀ ଅଧୀରାଜ ମହାନ୍ତି, ସପନ କୁମାର ପଲ୍, ସଞ୍ଜୟ କୁମାର ପଣ୍ଡା, ବିନୟ ଭୂଷଣ ରାଉତରାୟ ଓ ଆଲୋକ ନନ୍ଧୀ ପ୍ରମୁଖ ସାମିଲ ଥିଲେ। ଅନ୍ୟପକ୍ଷରେ, ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲଙ୍କ ନିକଟରୁ ଓଡ଼ିଶା ନ୍ୟାୟ ନପାଇଲେ ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଆବାହକ ସୁଦର୍ଶନ ଦାସ। ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଓଡ଼ିଶାବାସୀଙ୍କ ପାଖକୁ ଯାଇ ବ୍ୟାପକ ଜନଆନ୍ଦୋଳନ ଗଢ଼ି ତୋଳାଯିବ ବୋଲି ସେ କହିଛନ୍ତି। ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ଓଡ଼ିଶାର ଜୀବନରେଖା। ତେଣୁ ମହାନଦୀର ଜଳ ଅଧିକାର ଓ ରାଜ୍ୟର ସ୍ୱାର୍ଥର ସୁରକ୍ଷା ପାଇଁ ନ୍ୟାୟିକ ଲଢ଼େଇ ସହ ଜନମତ ସୃଷ୍ଟି କରିବାକୁ ଆନ୍ଦୋଳନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ