କଟକରେ ଗୋଷ୍ଠୀ ସଂଘର୍ଷରୁ ହତ୍ୟାକାଣ୍ଡ, ୨୧ ଅଟକ
କଟକ, (ଓ୍ବାଇଏନଏସ): କଟକ ସହରର ପୁରୀଘାଟ ଥାନା ଅନ୍ତର୍ଗତ ଗଣେଶ ଘାଟ ଓ କାଠଯୋଡ଼ି ରିଂ ବନ୍ଧ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଥିରେ ପାଞ୍ଚ ଜଣ ଆହତ ହୋଇଥିବା ବେଳେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ଗଣେଶ ଘାଟ ପୂଜା କମିଟିର ସଭାପତି ଅମରେନ୍ଦ୍ର ସାମଲ (୬୨)। ଘଟଣାକୁ ନେଇ ଶନିବାର ମଧ୍ୟ ଗଣେଶ ଘାଟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଗଣେଶ ଘାଟ ନିକଟସ୍ଥ ଏକ ଚା’ ଦୋକାନରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବୁରୁଜ ସାହି ଓ ଗଣେଶ ଘାଟ ସାହିର ଲୋକମାନେ ଏକାଠି ହୋଇ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ କରିଥିଲେ। ସଂଘର୍ଷ ଏତେ ଉଗ୍ର ରୂପ ନେଇଥିଲା ଯେ, ଅମରେନ୍ଦ୍ର ସାମଲଙ୍କୁ ମାହେଶ୍ୱରୀ ମନ୍ଦିର ପିଣ୍ଡାରେ କାଚ ବୋତଲ ଓ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ସଂଘର୍ଷରେ ଜଣେ ପୁଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଥିଲେ। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଚା’ ଦୋକାନ ଭାଙ୍ଗିବା ସହ ତିନୋଟି ବାଇକ୍ ଓ ଏକ ଯାତ୍ରୀବାହୀ ଅଟୋକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅଞ୍ଚଳରେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣା ପରେ ଗଣେଶ ଘାଟ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଛି। ପୁଲିସ ଉଭୟ ସାହିର ଲୋକଙ୍କ ସହ ଆଲୋଚନା କରି ଶାନ୍ତି ଫେରାଇବାକୁ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ, ଦୁଇ ସାହି ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗଣେଶ ପୂଜା ଭସାଣି ସମୟରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୁରୁବାର ହୋଇଥିବା ବିବାଦ ଶୁକ୍ରବାର ଉଗ୍ର ରୂପ ନେଇଥିଲା। ଏହି ଘଟଣାରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଛି। ଦୋଷୀଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ ଜାରି ରହିଛି।


