ନ୍ୟାୟ ନ ପାଇ ଥାନାରେ ବିଷ ପିଇଲେ ବୃଦ୍ଧ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

କେନ୍ଦ୍ରାପଡ଼ା, (ଓ୍ବାଇଏନଏସ): ପୋଲିସ ନିକଟରୁ ନ୍ୟାୟ ପାଇବା ଆଶାରେ ବାରମ୍ବାର କେନ୍ଦ୍ରାପଡା ସଦର ଥାନାକୁ ଦୌଡ଼ି ଦୈାଡି ନିରାଶ ହେବା ପରେ ଜନୈକ ବୃଦ୍ଧ ଶେଷରେ ଶନିବାର ଥାନା ପରିସରରେ ବିଷ ପାନ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଅଭାବନୀୟ ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସର କାର୍ଯ୍ୟଶୈଳୀ ଓ ସମ୍ବେଦନଶୀଳତା ଉପରେ ଏହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଷ ପାନ କରିଥିବା ବୃଦ୍ଧ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମ ପଞ୍ଚାୟତ ଅଧୀନ ବାଇପୁର ଗ୍ରାମର ଶିବ ସୁନ୍ଦର ପ୍ରଧାନ। ମିଳିଥିବା ସୂଚନା ଅନୁଯାୟୀ ଶିବ ସୁନ୍ଦର ଗତ ବର୍ଷେ ହେବ ନିଜ ପୁଅ ଓ ବୋହୂଙ୍କ ଦ୍ୱାରା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇ ଆସୁଥିଲେ। ଏହି ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ଏବଂ ଆଇନଗତ ସହାୟତା ଆଶାରେ ସେ ଗତ ଜୁନ ମାସ ୯ତାରିଖରୁ ନିୟମିତ ଭାବେ କେନ୍ଦ୍ରାପଡ଼ା ସଦର ଥାନାକୁ ଦୌଡ଼ୁଥିଲେ। ମାତ୍ର ଥାନାରେ ତାଙ୍କର କୌଣସି ଅଭିଯୋଗ ଗ୍ରହଣ କରାଯାଉ ନଥିଲା କିମ୍ବା ତାଙ୍କୁ ଉଚିତ ନ୍ୟାୟ ମିଳୁ ନଥିଲା। ଅଭିଯୋଗ ଅନୁସାରେ, ଶିବ ସୁନ୍ଦର ପ୍ରତିଦିନ ସକାଳ ୧୦ଟାରୁ ଥାନାକୁ ଆସି ବାହାରେ ଅପେକ୍ଷା କରି ରହୁଥିଲେ। କିନ୍ତୁ ଥାନାଧିକାରୀ ଦିନ ୧ଟା ବେଳେ ଥାନାକୁ ଆସୁଥିଲେ ଏବଂ ମାତ୍ର କିଛି ସମୟ ରହି ପୁଣି ପଳାଉଥିଲେ। ଏହାପରେ ରାତି ୮ଟା ପର୍ଯ୍ୟନ୍ତ ଆଉ ଥାନାକୁ ଫେରୁ ନଥିଲେ। ଫଳରେ ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭୋକ ଉପାସରେ ଥାନା ପରିସରରେ ବସି ରହି ଶେଷରେ ନିରାଶ ହୋଇ ଘରକୁ ଫେରୁଥିଲେ। ଥାନାରେ ଉପସ୍ଥିତ ଥିବା ଅନ୍ୟ ପୋଲିସ ଅଧିକାରୀମାନଙ୍କୁ ନିଜ ଦୁଃଖ ଜଣାଇଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିଲେ। ଥାନାଧିକାରୀ ମାଡାମ ଆସିଲେ ସେ ହିଁ ଏହାର ବିଚାର କରିବେ ବୋଲି କହି ଅନ୍ୟ କର୍ମଚାରୀମାନେ ତାଙ୍କୁ ଏଡ଼ାଇ ଦେଉଥିଲେ। ଅନ୍ୟପଟେ ଥାନାଧିକାରୀ ତାଙ୍କୁ ଦେଖା ଦେଉ ନଥିଲେ କିମ୍ବା ତାଙ୍କ ଅଭିଯୋଗ ପ୍ରତି କୌଣସି କର୍ଣ୍ଣପାତ କରୁ ନଥିଲେ। ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ ହେବ ଏଭଳି ମାନସିକ ଚାପ ଓ ପୋଲିସର ଅବହେଳାରେ ଅତିଷ୍ଠ ହୋଇ ଶିବ ସୁନ୍ଦର ଶନିବାର ଚରମ ପଦକ୍ଷେପ ନେଇଥିଲେ। ଥାନା ପକ୍ଷରୁ ତାଙ୍କୁ ଆଜି ଫୋନ କରି ଡକାଯାଇଥିଲା। ଥାନାରୁ ଫୋନ ପାଇ ସେ ସଦର ଥାନାକୁ ଆସିଥିବା ବେଳେ ନ୍ୟାୟ ନ ମିଳିବାରୁ ଥାନା ପରିସରରେ ହିଁ ବିଷ ପାନ କରିଦେଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ବିଭିନ୍ନ ଘଟଣାରେ ଲୋକମାନେ ଅଭିଯୋଗ ନେଇ ସଦର ଥାନାକୁ ଯାଇଥିବା ବେଳେ ସେଠାରୁ ନ୍ୟାୟ ନପାଇ ଫେରିଥିବା ସମ୍ପର୍କରେ କେନ୍ଦ୍ରାପଡା ଏସପିଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସିଛି। ଏଥିସହିତ କେନ୍ଦ୍ରାପଡ଼ା ସଦର ଥାନାଧିକାରୀଙ୍କ କାର୍ଯ୍ୟକଳାପ ବିରୋଧରେ ମଧ୍ୟ ବାରମ୍ବାର ଅଭିଯୋଗ ଉଠିଥିଲା। କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରିଥିବା ବେଳେ ଥାନାଧିକାରୀ ତାହାକୁ ହସ୍ତାନ୍ତର କରିନଥିଲେ। ଏହି ଘଟଣାରେ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ଥାନାକୁ ଯାଇଥିବା ବେଳେ ଥାନାଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶ୍ରୀମତୀ ସେଠୀ ନିଜ ସମର୍ଥକଙ୍କ ସହ ଥାନା ଘେରାଉ କରି ଧାରଣା ଦେବା ସହ ଥାନାଧିକାରୀଙ୍କ ବଦଳି ଦାବି କରିଥିଲେ। ଏହାବ୍ୟତିତ ଗତ ଗଜଲକ୍ଷ୍ମୀ ପୂଜା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ କେନ୍ଦ୍ରାପଡା ଆସିଥିବା ବେଳେ ତାଙ୍କୁ ଶତାଧିକ ମହିଳା ପୁରୁଣା ବସଷ୍ଟାଣ୍ଡସ୍ଥିତ ପୋଲିସ ଫାଣ୍ଡିରେ ଭେଟି ସଦର ଥାନାଧିକାରୀଙ୍କ ବିରୋଧରେ ଏକ ତଥ୍ୟମୂଳକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଆଇ ଜି ଡ. ନାୟକ ଗଜଲକ୍ଷ୍ମୀ ପୂଜା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ। କିନ୍ତୁ ସେହି ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଥିଲା। ଶନିବାରର ଏହି ଘଟଣା ପରେ ବିଜେପି ନେତ୍ରୀ ଶ୍ରୀମତୀ ସେଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୋଲିସର ନିଷ୍କ୍ରିୟତା ଓ ଲାଞ୍ଚଖୋର ମନୋଭାବ ବିରୋଧରେ ସେ ପୂର୍ବରୁ ସ୍ୱର ଉତ୍ତୋଳନ କରିଥିଲେ। ଯଦି ସେତେବେଳେ ସମ୍ପୃକ୍ତ ଥାନାଧିକାରୀଙ୍କୁ ବଦଳି କରାଯାଇଥାନ୍ତା, ତେବେ ଆଜି ଥାନା ପରିସରରେ ଜଣେ ଅସହାୟ ବୃଦ୍ଧଙ୍କୁ ବିଷ ପିଇବାକୁ ପଡ଼ି ନଥାନ୍ତା। ସେ ଥାନାଧିକାରୀଙ୍କ ଏଭଳି ଅମାନବୀୟ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ଅନୁସନ୍ଧାନ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ