ବିଧାନସଭାରେ ଉଠିଲା ବୈତରଣୀରୁ ବାଲି ଲୁଟ ପ୍ରସଙ୍ଗ
ହାଟଡିହି (ଓ୍ବାଇଏନଏସ) : ବିଧାନସଭାରେ ଉଠିଛି ବୈତରଣୀରୁ ବାଲି ଲୁଟ ପ୍ରସଙ୍ଗ। ଏ ପ୍ରସଙ୍ଗ ଉଠାଇ ଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ଅଣ-ତାରକା ପ୍ରଶ୍ନ ସଂଖ୍ୟା ୨୧୫୯ ଜରିଆରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଦୈନନ୍ଦିନ ଶହ ଶହ ବାଲି ଚୋରା ଚାଲାଣ ହେଉଛି। ବିନା ଟ୍ରାଞ୍ଜିଟ ପରମିଟରେ ବାଲି ଚୋରା ଚାଲାଣ ହେବା ସହ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୈନନ୍ଦିନ ୧୦୦ ରୁ ୨୦୦ ଟ୍ରିପ ବାଲି ଚାଲାଣ ହେଉଛି, ଏନେଇ ସରକାର ଅବଗତ ଅଛନ୍ତି କି, ଯଦି ଉତ୍ତର ହଁ ତାହେଲେ ସରକାର ବାଲି ମାଫିଆଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଜଣାଇବେ କି। ଚୋରା ବାଲି ଚାଲାଣ ହେତୁ ସରକାର ଶହ ଶହ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ବୋଲି ବିଧାୟକ ଶ୍ରୀ ସେଠୀ ପ୍ରଶ୍ନ ରଖିଥିଲେ। ଏହାର ଉତ୍ତରରେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ ପୋଡଶୀ ରାଜ୍ୟ ପଶ୍ଚମବଙ୍ଗକୁ ବାଲି ଚୋରା ଚାଲାଣ ହେବାର ସରକାରଙ୍କ ଦୃଷ୍ଟିଗୋଚରକୁ ଆସିନାହିଁ । ବେଆଇଇନ ଉତ୍ତୋଳନ ଓ ଚୋରା ଚାଲାଣ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରତିଷେଧକ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଓଏମଏମଏସ ରୁଲରେ ସଂଶୋଧନ ମାଧ୍ୟମରେ ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ସହିତ ଅତିରିକ୍ତ ତହସିଲଦାର, ପୋଲିସ ସବ୍-ଇନ୍ସପେକ୍ଟର ଓ ତଦ୍ରୁଦ୍ଧ ପାହ୍ୟାର ଅଧୂକାରୀମାନଙ୍କୁ ଚଢ଼ାଉ ଓ ଜବଦ କାର୍ଯ୍ୟ କରିବାର କ୍ଷମତା ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଇଛି। ସମସ୍ତ ଲିଜ ବାଲିଘାଟରୁ ଟ୍ରାଞ୍ଜିଟ ପାସ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ବାଲି ପରିବହନର ଡିଜିଟାଲ୍ ରେକର୍ଡ ରଖିବା ସହ ବୈଧ ପରିବହନ ଉପରେ ନଜର ରଖାଯାଉଛି। ଖଣି ସୀମା ନିର୍ଦ୍ଧାରଣ ଓ ପରିବହନ ରେକର୍ଡ, ବାଲିଘାଟର ସଠିକ୍ ପରିସୀମା ଚିହ୍ନଟ ନିମନ୍ତେ ଡିଜିପିଏସ ମାନଚିତ୍ରରେ ଉଲ୍ଲେଖୂତ ଅକ୍ଷାଂସ, ଦ୍ରାଘିମା ଅନୁଯାୟୀ ସୀମା ଖୁଣ୍ଟି ସ୍ଥାପନ କରିବାକୁ ଖଣିଧାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ବାଲି ପରିବହନ ସମ୍ବନ୍ଧୀୟ ଡେସ୍ପାଚ ରେଜିଷ୍ଟର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ବାଲିଘାଟରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ବେଆଇନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ନିମନ୍ତେ ଖଣିଧାରୀମାନଙ୍କୁ ନିଜ ନିଜ ବାଲିଘାଟ ପରିସରରେ ସିସିଟିଭି କ୍ୟାମେରା ଓ ଆବଶ୍ୟକୀୟ ସୂଚନା ଫଳକ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ,ଙ୍କ ନିର୍ଦେଶ ମତେ ଦିବା ୭ ଘଟିକାରୁ ରାତ୍ରି ୯ ଘଟିକା ମଧ୍ୟରେ ବାଲି ପରିବହନ ନକରିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି। ବେଆଇନ ଉତ୍ତୋଳନକୁ ନିରୁତ୍ସାହିତ କରିବା ନିମନ୍ତେ ନୂତନ ଚିହ୍ନଟ ଘାଟ ଚିହ୍ନଟ କରି ଜିଲ୍ଲା ସର୍ଭେ ରିପୋର୍ଟରେ ଅନ୍ତର୍ଭୁକ୍ତ କରିବା ସହ ବୈଧ ଉତ୍ସରୁ ବାଲି ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଚୋରା ଚାଲାଣ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ସହିତ ଉପଖଣ୍ଡ ଓ ତହସିଲସ୍ତରୀୟ କମିଟି ଗଠନ କରାଯାଇଛି। କମିଟିଗୁଡ଼ିକ ମାଧ୍ୟମରେ ନିୟମିତ ଯାଞ୍ଚ ଓ ସମନ୍ବିତ ପ୍ରବର୍ତ୍ତନମୂଳକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରାଯାଉଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।


