ବାଲିଯାତ୍ରାରେ ରାସ୍ତାକଡ଼ ବ୍ୟବସାୟୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ

କଟକ(ଓ୍ବାଇଏନଏସ): ବାଲିଯାତ୍ରାରେ ବ୍ୟବସାୟ କରୁଥିବା ରାସ୍ତାକଡ଼ ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତାକୁ ଗୁରୁତ୍ୱ ଦେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦୁଇଦିନିଆ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆରମ୍ଭ କରାଯାଇଛି। ବାଲିଯାତ୍ରା ପଡ଼ିଆରେ ଗଣକବି ବୈଷ୍ଣବ ପାଣି ମଞ୍ଚ ନିକଟସ୍ଥ ସମନ୍ୱିତ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍‌)ଠାରେ ଆଜି ଏହି ଶିବିରକୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉଦ୍‌ଘାଟନ କରିଛନ୍ତି। ବାଲିଯାତ୍ରା ସମୟରେ ଦୀର୍ଘ ସମୟ ଧରି ବ୍ୟବସାୟରେ ନିୟୋଜିତ ରହୁଥିବା ଛୋଟ ବ୍ୟବସାୟୀମାନେ ଅନେକ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଇପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଶିବିରରେ ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରୁଛନ୍ତି। ଏହି ଶିବିର ନଭେମ୍ବର ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବ। ଏଠାରେ ଉପଲବ୍ଧ ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ସେବା ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଏହି ସୁଯୋଗର ସଦୁପଯୋଗ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଅନୁରୋଧ କରାଯାଇଛି। ସୂଚନାନୁଯାୟୀ, ଆଜି ଅପରାହ୍ନ ୪ଟା ସୁଦ୍ଧା ପ୍ରାୟ ୪୦ ଜଣ ବ୍ୟବସାୟୀ ଏହି ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ବାଲିଯାତ୍ରାରେ ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟ ପ୍ରତି ଏଭଳି ପ୍ରଶାସନିକ ପଦକ୍ଷେପକୁ ସ୍ୱାଗତ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ