ମେଡିକାଲ ଶୈାଚାଳୟ କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଉକ୍ତ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାର ସଠିକ ତଦନ୍ତ କରାଯାଉ ନଥିବାରୁ ଅନେକ କାର୍ଯ୍ୟ ନିମ୍ନମାନର ହେଉଥିବା ଜଣାଯାଇଛି । ଏପରିକି ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ କେଉଁ ବିଭାଗ କରୁଛି । କେତେ ଅର୍ଥ ଏହି ଶୌଚାଳୟରେ ବ୍ୟୟ କରାଯାଉଛି । ତାର ସଠିକ ତଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଦାନ କରି ପାରୁ ନଥିବା ବେଳେ ସଂପୃକ୍ତ ଠିକାଦାର ନୂତନ ଭାବେ ଶୌଚାଳୟ ନିର୍ମାଣ କରାଯାଉ ନଥିବା ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିସରରେ ଦୀର୍ଘ ଦିନ ହେବ ଗାଡି ରଖିବା ପାଇଁ ଏକ ପୁରୁଣା ଗ୍ୟାରେଜ ରହିଥିଲା । ଏବେ ଉକ୍ତ ଗ୍ୟାରେଜକୁ ଭଙ୍ଗା ଯାଇ ସେହି ସ୍ଥାନରେ ୪ ବଖରା ଗୃହ ବିଶିଷ୍ଟ ଶୌଚାଳୟ ନିର୍ମାଣ କରାଯାଉଛି । ଏହି କାର୍ଯ୍ୟ କିଏ କରୁଛି ଓ କେତେ ଅର୍ଥ ବ୍ୟୟ କରାଯାଉଛି ସେ ସଂପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ତଥ୍ୟ ମିଳୁ ନାହିଁ । ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ଡଃ ସୁନନ୍ଦନ ମହାନ୍ତି ଏ ବିଷୟରେ କୌଣସି ତଥ୍ୟ ଦେଇ ପାରୁ ନଥିବା ବେଳେ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗର ପବ୍ଳିକ ହେଲଥ ଡିଭିଜନରୁ ଆସି କାମ କରୁଥିବା ପ୍ରକାଶ କରିଛନ୍ତି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକାରୀଙ୍କ କାର୍ଯ୍ୟଳୟରୁ ମଧ୍ୟ କୈାଣସି ତଥ୍ୟ ମିଳି ପାରୁ ନାହିଁ । ସରକାରଙ୍କ ନିୟମାନୁସାରେ ପୁରୁଣା ଗୃହ ଭଙ୍ଗା ଯିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶନାମା କରାଯିବ । ଯାହା ବଳରେ ଉକ୍ତ ଗୃହ ଭଙ୍ଗା ଯିବା କଥା । କିନ୍ତୁ ଉକ୍ତ ଗୃହ ଭଙ୍ଗା ହେବା କ୍ଷେତ୍ରରେ ତାହା କରାଯାଇ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂପୃକ୍ତ ଠିକାଦାର ଚତୁରତାର ସହିତ ଉକ୍ତ ଗୃହକୁ ଭାଙ୍ଗି ଗୃହରୁ ବାହାରି ଥିବା ପୁରୁଣା ଇଟାକୁ ଲଗାଇ ଶୌଚାଳୟ ନିର୍ମାଣ କରୁ ଅଛନ୍ତି । ସ୍ଥାନିୟ ଲୋକଙ୍କ ଅଭିଯୋଗ ପରେ ପୁନର୍ବାର କିଛି ଇଟା ସେଥିରୁ ବାହାର କରି ନୂଆ ଇଟା ଦେଇ ଶୌଚାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି । କିନ୍ତୁ ନିର୍ମାଣ କରାଯାଉଥିବା ଶୌଚାଳୟର ମୂଳଦୁଆ ମାତ୍ର ମାଟି ତଳୁ କେଇ ହାତ ତଳୁ ଆସିଛି । ଗୋଟିଏ ପଟେ ପୁରୁଣା ଇଟାରେ ନିର୍ମାଣ କରାଯାଉଥିବା ବେଳେ ଠିକ ଭାବରେ ମୁଳଦୁଆ ତିଆରି ହୋଇ ନଥିବାରୁ ଶୌଚାଳୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ବିଷୟରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ପଚାରିବାରୁ ଶୌଚାଳୟ ବିଷୟରେ ସେ ସଠିକ ଜାଣି ନଥିବା ବେଳେ ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା କରାଯାଇ ସ୍ଥାନ ନିରୁପଣ କରାଯାଇଥିବା ପ୍ରକାଶ କରିଥିଲେ । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡକ୍ଟର ସୁନନ୍ଦନ ମହାନ୍ତିଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପବ୍ଳିକ ହେଲଥ ସେକ୍ଟରର କାର୍ଯ୍ୟ । ଅନୁଦାନ ସଂପର୍କରେ କୌଣସି ତଥ୍ୟ ତାଙ୍କୁ ପ୍ରଦାନ କରାଯାଇ ନଥିବା ପ୍ରକାଶ କରିଥିଲେ ।


