‘ଛତର ଯାତ୍ରା’ରେ ବଳି ବନ୍ଦ

କଟକ: କଳାହାଣ୍ଡି ଜିଲ୍ଲାରେ ପ୍ରତିବର୍ଷ ଦୁର୍ଗା ପୂଜା ସମୟରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ‘ଛତର ଯାତ୍ରା’ରେ ଏଥର ବନ୍ଦ ହେବ ପଶୁବଳି । ଏ ନେଇ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପଶୁବଳି ବନ୍ଦ କରିବା ଦିଗରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସପି କଠୋର ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଶୁପକ୍ଷୀଙ୍କର ବି ବଞ୍ଚିବାର ଅଧିକାର ରହିଛି ଓ ଉକ୍ତ ଅଧିକାରକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ମତ ଦେଇ ହାଇକୋର୍ଟ ଆଇନ ଉଲ୍ଲଘଂନ କରି ବଳି ଦେଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି । ସମାଜସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର କଟକଣା ସତ୍ତ୍ୱେ ଛତର ଯାତ୍ରାରେ ବ୍ୟାପକ ପଶୁବଳି ଦିଆଯାଉଥିବା ବେଳେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ।
‘ଛତର ଯାତ୍ରା’ରେ ପଶୁ ବଳି ବନ୍ଦ ନେଇ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏହି ବଳି ପ୍ରଥା ବିରୋଧରେ ସ୍ଥାନୀୟ ଲୋକଙ୍କୁ ବିଶେଷ କରି ଆଦିବାସୀ ଲୋକଙ୍କୁ ସଚେତନ କରିବେ । ଲୋକମାନଙ୍କୁ ବୁଝାଇବା ଦରକାର ଯେ, ବଳି ଏକ ଅନ୍ଧ ବିଶ୍ୱାସ ଓ ଏହି ପ୍ରଥା ଦ୍ୱାରା କେବେ ବି ଭଗବାନ ଖୁସି ହୁଅନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ