ବେଗୁନିଆ ବ୍ଲକ୍ରେ ବହୁ ନଳକୁପ ଅଚଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ

ବେଗୁନିଆ (ଯୁଗାଦ୍ଧ ନ୍ୟୁଜ): ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଏହା ସହିତ ତାଳ ଦେଇ ବେଗୁନିଆ ବ୍ଲକ୍ରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପାନୀୟ ଜଳପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି । ଏହି ବ୍ଲକ୍ରେ ସହସ୍ରାଧିକ ନଳକୁପ ଅଚଳ ହୋଇପଡ଼ିଥିବା ବେଳେ ସେଗୁଡ଼ିକ ସଚଳ କରିବା ପାଇଁ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ନଳକୁପଗୁଡ଼ିକ ଶୀଘ୍ର ଅଚଳ ହୋଇଯିବାର କାରଣ ହେଉଛି ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ନଳକୁପ ଗୁଡ଼ିକ ଯେତିକି ଗଭୀରର ଖୋଳାଯିବା କଥା ଏବଂ କେସିଂ ଯେଉଁ ପରିମାଣର ଦେବା କଥା ତାହା ଦିଆଯାଉନାହିଁ । ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ସଲାସୁତୁରା ହୋଇ କମ୍ ଗଭୀରତାରେ ନଳକୁପ ଖୋଳାଯାଇ କେସିଂ କମ୍ ଦିଆଯାଇ ଅଧିକ ପରିମାଣର ବିଲ୍ କରାଯାଉଛି । ଫଳରେ ନଳକୁପ ଗୁଡ଼ିକର ସ୍ଥାୟୀତ୍ୱ ବେଶୀ ଦିନ ରହୁନାହିଁ । ଯନ୍ତ୍ରୀ ଏବଂ ଠିକାଦାରଙ୍କ ଲାଭଜନକ ବେପାର ଯୋଗୁ ନୀରିହ ଜନସାଧାରଣ ଅଯଥା ଶିକାର ହେଉଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବାବେଳେ ଏଠାରେ ପିଇବା ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି । ବ୍ଲକ୍ ଅଂଚଳରେ ଥିବା ୧୭୪୫ଟି ନଳକୁପ ମଧ୍ୟରୁ ୧୫୦ ନଳକୁପ ଅଚଳ ହୋଇପଡ଼ିଛି । ଏଥିସହ ବହୁସ୍ଥାନରେ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ଜଳଅମଳ ପ୍ରକଳ୍ପ ଅଚଳ ଯୋଗୁ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି । ବ୍ଲକର ୧୬୨ ରାଜସ୍ୱ ଗ୍ରାମରେ ୫୯ ସାନିଟାରୀ କୂପ, ୭୭ଟି ପାନୀୟ ଜଳ ପ୍ରକଳ୍ପ ଏବଂ କିଛି ଖୋଲାକୂପ ରହିଛି । ପାଣି ସମସ୍ୟାକୁ ନେଇ ଏବେ ବିଭିନ୍ନ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସେନାପତି ଏ ଦିଗରେ କୈାଣସି ପଦକ୍ଷେପ ନେବା ପରିବର୍ତ୍ତେ ଅଫିସ୍କୁ ନଆସି ଭୁବନେଶ୍ୱରରେ ବସି ରହୁଛନ୍ତି । ତେବେ ରୌଦ୍ରତାପ ଯେଉଁଭଳି ଭାବେ ବୃଦ୍ଧି ପାଉଛି ଯଦି ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସ୍ଥିତି ଆହୁରି ସଂଗିନ ହେବାର ଆଶଙ୍କା ରହିଛି । ଚଳିତ ବର୍ଷ ଅଂଶୁଘାତ ମୁକାବିଲା ପାଇଁ ୧୨୦ ନୂତନ ନଳକୁପ ଖନନ ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏବେ ସୁଦ୍ଧା ସେହି ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ଦେଖାଦେଇଛି । ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ କାର୍ଯ୍ୟାନୁୂଷ୍ଠାନ ଗ୍ରହଣ କରାଯାଉନାହିଁ । ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ସେନାପତିଙ୍କୁ ପଚାରିବାରେ ସେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ