ବନ୍ତରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ
ବନ୍ତ,(ଯୁଗାଦ୍ଧ ନିଜ୍ୟୁ) : ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତୀ ଅବସରରେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ଶ୍ରୀ ଶ୍ରୀ ହନୁମାନଜୀଙ୍କର ଜୟନ୍ତୀ ଉତ୍ସବ ଓ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଳୋକ ବଜାରସ୍ଥିତ ହନୁମାନ ମନ୍ଦିର ଠାରେ ଦିବା ୧୧ ଘଟିକା ସମୟରେ ଘଟୋତ୍ତୋଳନ, ହନୁମାନ ଚାଳିସା ପଠନ, ଯଜ୍ଞ ଓ ଅପରାହ୍ନ ୪ଟାରେ ପ୍ରସାଦ ସେବନ କରାଯାଇଥିଲା । ଏହି ପୂଜାରେ ବିଜୟାନନ୍ଦ ଦାସ, ନରେନ୍ଦ୍ର କୁମାର ପ୍ରଧାନ, ପାର୍ଥସାରଥୀ ଦାସ, ସତ୍ୟପ୍ରିୟ ସୁଶୀଲ ନାୟକ, ହରିହର ସୁତାର ପ୍ରମୁଖ ନିକଟସ୍ଥ ମହାଦେବ ପୋଖରୀରୁ କଳସ ଆଣିବା ପରେ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାବେ ଚିତ୍ତ ରଞ୍ଜନ ଦାଶ ଓ ଅରବିନ୍ଦ ଦାଶ ପୂଜା କାର୍ଯ୍ୟ ତୁଲାଇଥିଲେ । ଏଥିରେ ରାଜେଶ କୁମାର ଦାସ, ଦେବାଶିଷ ନାୟକଙ୍କ ସମେତ ବଜାରର ସମସ୍ତ ବ୍ୟବସାୟୀ ମାନେ ସହାୟତା କରିଥିଲେ । ସେହିପରି ବ୍ଲକର ଟିଲୋ ଗ୍ରେନଗୋଲା ଛକ, ଗୋବିନ୍ଦପୁର, ତରାପୁର, କେନ୍ଦୁଆପଦା, ତୋଡଗାଁ, ସେଣ୍ଢତୀରା, ପଳସା, ବସନ୍ତିଆ, ସାହାଡାପଲ୍ଲୀ, ବାଇପୁର ସମେତ ବହୁ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।


